
ମାଲକାନଗିରି, ୧୯ ସେପ୍ଟେମ୍ବର (ହି.ସ.)- ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡି.ପି.ଆଇ.ଆଇ.ଟି.) ସୌଜନ୍ୟରୁ ମାଲକାନଗିରି ସ୍ଥିତ ସରକାରୀ ଆଇ.ଟି.ଆଇ. ଅଡିଟୋରିୟମ ଠାରେ ତେଜସ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦେଶର ୧୩୨ଟି ଜିଲ୍ଲାରେ ଅଣ-ମେଟ୍ରୋ ଓ ଟାୟାର-୨/୩ ଅଞ୍ଚଳଗୁଡ଼ିକରେ ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳ ସ୍ତରରେ ନବସୃଜନକୁ ସଶକ୍ତ କରିବା ଲକ୍ଷ୍ୟରେ ଏହି ଆଞ୍ଚଳିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଓଡ଼ିଶା, ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ, ସରକାରୀ ଆଇ.ଟି.ଆଇ. ମାଲକାନଗିରି, ଏ.ସି.ଆଇ.ସି. ଜି.ଆଇ.ଇ.ଟି.ୟୁ. ଏବଂ ପ୍ରମୁଖ ସ୍ଥାନୀୟ ଇକୋସିଷ୍ଟମ୍ ମିଳିତ ଭାବେ ସହଯୋଗ କରିଥିଲେ।
ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଏହି କର୍ମଶାଳାର ଉଦ୍ଘାଟନ କରିଥିଲେ। ଏହାସହ ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେସର ଡଃ. ଚନ୍ଦ୍ର ଧ୍ୱଜ ପଣ୍ଡା, ଆଇ.ଟି.ଆଇ. ମାଲକାନଗିରିର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପରିଡ଼ା ଏବଂ ଏ.ସି.ଆଇ.ସି. ଜି.ଆଇ.ଇ.ଟି.ୟୁ. ର ସି.ଇ.ଓ. ରବୀନ୍ଦ୍ର ଯାଦବ ମଧ୍ୟ ଏହି ଅଧିବେଶନରେ ଉପସ୍ଥିତ ଥିଲେ। ଷ୍ଟାର୍ଟଅପ୍ ଇଣ୍ଡିଆର ସହଯୋଗୀ ସୀମା ଚରଣ ଡି.ପି.ଆଇ.ଆଇ.ଟି. ସ୍ୱୀକୃତି ଓ କେନ୍ଦ୍ରୀୟ ଯୋଜନା ବିଷୟରେ ବୁଝାଇଥିବା ବେଳେ ଷ୍ଟାର୍ଟଅପ୍ ଓଡ଼ିଶାର ମିଶନ୍ ଆସୋସିଏଟ୍ ଡଃ. ରଶ୍ମି ରଞ୍ଜନ ବେହେରା ଓଡ଼ିଶା ଷ୍ଟାର୍ଟଅପ୍ ନୀତି ୨୦୧୬ ଏବଂ ରାଜ୍ୟ ସ୍ତରୀୟ ପ୍ରୋତ୍ସାହନ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଆଇଡିଆରୁ ଉଦ୍ୟୋଗ ପର୍ଯ୍ୟନ୍ତ ଯାତ୍ରା ଏବଂ ଇନ୍କ୍ୟୁବେଟରର ଭୂମିକା ସମ୍ପର୍କରେ ଗ୍ରହଣଯୋଗ୍ୟ ଆଲୋଚନା ହୋଇଥିଲା। ଏସ.ଟି.ପି.ଆଇ. ର ନିବେଦିତ ଦେ ଆଞ୍ଚଳିକ ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍ ସହାୟତା ବିଷୟରେ ଜଣାଇଥିଲେ। ଏହା ସହିତ ଏଚ.ସି.ଏଲ. ଟେକ୍ ର ଏ.ଆଇ. ଟ୍ରାନ୍ସଫର୍ମେସନ୍ ମ୍ୟାନେଜର ଶିବ ସୁବ୍ରମଣ୍ୟମ୍ ଆଗାମୀ ଦିନରେ ସୋଭରେନ୍ ଏ.ଆଇ.ର ଆବଶ୍ୟକତା ଓ ଆଞ୍ଚଳିକ ପ୍ରଭାବ ଉପରେ ଏକ ବୈଷୟିକ ଉପସ୍ଥାପନା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମର ଶେଷରେ ମାଲକାନଗିରି ଜିଲ୍ଲା ଶିଳ୍ପ କେନ୍ଦ୍ରର ମୁଖ୍ୟ ପ୍ରବନ୍ଧକ ଚିନ୍ମୟ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳା ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତ@୨୦୪୭ ର ସ୍ୱପ୍ନକୁ ସାକାର କରିବା ସହ ଗ୍ରାମାଞ୍ଚଳ ଓ ଛୋଟ ସହରଗୁଡ଼ିକରେ ନୂତନ ଉଦ୍ୟୋଗ ସୃଷ୍ଟି କରିବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ