
କେନ୍ଦ୍ରାପଡ଼ା, ୧୯ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଧୋୟା ଅଂଚଳର ଗୋବିନ୍ଦପୁର ସେତୁ ନିକଟରୁ ମହାରାକୂଳ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ରାସ୍ତାରେ ଖାଲଖମା ଓ ଭଙ୍ଗା ଅଂଶ ଯୋଗୁଁ ଯାତାୟାତ ବିପର୍ଯ୍ୟସ୍ତ ହେବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଆଳି ମୁଖ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ସଂଯୋଗ କରୁଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଚଳାଚଳରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ସରକାରୀ ବସ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ରାସ୍ତାର ଦୁରବସ୍ଥା ନେଇ ଅଂଚଳର ଯୁବ ସାମ୍ବାଦିକ ଲିଟୁଆ ରାଉତ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଏବଂ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ର ନିର୍ବାହୀ ଯନ୍ତ୍ରୀଙ୍କୁ ଇ-ମେଲ୍ ସିପିଡ୍ ପୋଷ୍ଟ ଯୋଗେ ଅଭିଯୋଗ କରି ତୁରନ୍ତ ରାସ୍ତା ନିର୍ମାଣ/ମରାମତି ଦାବି କରିଛନ୍ତି। କିଛି ମାସ ପୂର୍ବରୁ ବିଭାଗୀୟ ମୁଖ୍ୟଯନ୍ତ୍ରୀ ପ୍ରଦୀପ ଜେନା ଅଂଚଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପର ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। ପ୍ରତିଶ୍ରୁତି ଅନୁଯାଇ ଆଖି ଦୃଶିୟା କାର୍ଯ୍ୟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର କାମ ହୋଇଥିଲେ ମଧ୍ୟ ଅନେକ ଅଂଶର କାର୍ଯ୍ୟ ବାକି ରହିଛି ବୋଲି ଦାବି କରାଯାଇଛି। ୩୦ ଦିନ ମଧ୍ୟରେ ଦୃଢ଼ ପଦକ୍ଷେପ ନନିଆଗଲେ କାର୍ଯ୍ୟାଳୟ ସମ୍ମୁଖରେ ଅଂଚଳବାସୀଙ୍କ ସହ ଧାରଣା ଦିଆଯିବା ସହିତ ଉପସ୍ଥିତ ଅଧିକାରୀଙ୍କୁ ଫୁଲମାଳ ପିନ୍ଧାଇବାକୁ ଶ୍ରୀ ରାଉତ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ କନିଷ୍ଠ ଯନ୍ତ୍ରୀ ରାଜେଶ ସେନାପତି କହିଛନ୍ତି, ଖୁବ୍ଶୀଘ୍ର ଟେଣ୍ଡର ଡକାଯାଇ କାମ ଆରମ୍ଭ ହେବ। ଏହାସହିତ ସରକରଙ୍କ ପକ୍ଷରୁ ନୂତନ ମଞ୍ଜୁର ହେଇଥିବା ମାନପୁର ଘୋଷରା ନିକଟରେ ଉଚ୍ଚସ୍ତରୀୟ ସେତୁ ପାଇଁ ମଧ୍ୟ ନକ୍ସା ଓ ବ୍ଲ୍ୟୁ-ପ୍ରିଂଟ ପ୍ରସ୍ତୁତି ଚାଲିଛି। ଏହାପରେ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ ହେବ ବୋଲି ସେ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି