
ଯୋଧପୁର, ୧୯ ସେପ୍େଟମ୍ବର (ହି.ସ.)- ରାଜସ୍ଥାନ ହାଇକୋର୍ଟରେ ନାଗୌର ଜିଲ୍ଲାରେ ପୋଲିସ ଅଧୀକ୍ଷକ (ଏସପି) ପଦ ଖାଲି ଥିବା ମାମଲା ପହଂଚିଛି। ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏହି ସମ୍ପର୍କରେ ଏକ ଜନହିତ ଆବେଦନ ଦାଏର କରିଥିଲା। ଏହା ଉପରେ ଶୁଣାଣି କରି ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗକୁ ନୋଟିସ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ଜଷ୍ଟିସ ମୁନ୍ନୁରୀ ଲକ୍ଷ୍ମଣ ଏବଂ ଜଷ୍ଟିସ ସଞ୍ଜିତ ପୁରୋହିତଙ୍କ ବେଂଚ ଏହି ଆବେଦନ ଉପରେ ଶୁଣାଣି କରିଥିଲେ। ମାମଲାର ପରବର୍ତୀ ଶୁଣାଣି ୮ ଅକ୍ଟୋବରରେ ହେବ।
ଆବେଦନରେ କୁହାଯାଇଛି ଯେ ନାଗୌରର ତତ୍କାଳୀନ ଏସପି ରୋଶନ ମୀଣା (ଆଇପିଏସ)ଙ୍କ ୧୯ ମେ ୨୦୨୬ରେ ବଦଳି ହୋଇଥିଲା। ଏହା ପରଠାରୁ ଏସପି ପଦ ଖାଲି ଅଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଆବେଦନ କର୍ତା ଜଣେ ସ୍ଥାୟୀ ଆଇପିଏସ ଅଧିକାରୀଙ୍କ ନିଯୁକ୍ତି ଦାବି କରିଥିଲେ। ଆବେଦନ ଅନୁଯାୟୀ, ନିର୍ବାଚନ ଆୟୋଗ ୨୧ ଜୁଲାଇରେ କହିଥିଲେ ଯେ ସ୍ୱାଧୀନ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା କଲେକ୍ଟର ଏବଂ ଏସପିଙ୍କ ଭୂମିକା ବହୁତ ଜରୁରୀ। ଏହା ପରେ ୨୧ ଅଗଷ୍ଟରେ ଆୟୋଗ ଖାଲି ପଦଗୁଡ଼ିକ ପୂରଣ ପାଇଁ ଗାଇଡଲାଇନ ମଧ୍ୟ ଜାରି କରିଥିଲେ।
ଆବେଦନରେ କୁହାଯାଇଛି ଯେ ଏହା ସତ୍ୱେ ଏସପି ପଦ ଖାଲି ରହିଲା ଏବଂ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ଦିଆଗଲା। ଆବେଦନକାରୀ ଆଶଙ୍କା ପ୍ରକାଶ କରିଛନ୍ତି ଯେ ନିର୍ବାଚନ ସମୟରେ ପୋଲିସ ପ୍ରଶାସନର ନିରପେକ୍ଷତା ଉପରେ ପ୍ରଭାବ ପଡ଼ିପାରେ। ତେଣୁ ସେମାନେ ଜଣେ ଉପଯୁକ୍ତ ଆଇପିଏସ ଅଧିକାରୀଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ମାଗିଛନ୍ତି। କୋର୍ଟ ନିର୍ବାଚନ ଆୟୋଗଠାରୁ ଜବାବ ମାଗିଛନ୍ତି। ଆବେଦନ କର୍ତାଙ୍କ ପକ୍ଷରୁ ଅଧିବକ୍ତା ମୋତୀସିଂହ ରାଜପୁରୋହିତ ଓକିଲାତି କରିଥିଲେ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ