
Odisha, 19 ସେପ୍ଟେମ୍ବର (ହି.ସ.)
*ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଉତ୍ତମ ଡାକ୍ତର’ ଭାବେ ସମ୍ମାନିତ ହେଲେ ଡଃ ଅନ୍ନଦା ଶଙ୍କର ଦାସ*
ନୂଆପଡ଼ା,୧୯ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ନିଃସ୍ୱାର୍ଥ ସେବା ପାଇଁ ଖଡ଼ିଆଳର ଆୟୁଷ ଡାକ୍ତର ଡଃ ଅନ୍ନଦା ଶଙ୍କର ଦାସଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ ‘ହେଲଥ୍ କନକ୍ଲେଭ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗ ଡଃ ଦାସଙ୍କୁ ‘ଉତ୍ତମ ଡାକ୍ତର’ ଭାବେ ସମ୍ମାନିତ କରିଥିଲେ। ଖଡ଼ିଆଳ ଡ଼ାକ୍ତରଖାନାରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଡଃ ଦାସ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଇଥିବା କୁହାଯାଇଛି। ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ, ମାଗଣା ଔଷଧ ବଣ୍ଟନ, ଜଟିଳ ରୋଗରେ ପୀଡ଼ିତ ରୋଗୀଙ୍କୁ ଚିହ୍ନଟ କରି ଉନ୍ନତ ଚିକିତ୍ସା ପାଇଁ ପଠାଇବା ସହ ଟିବି ମୁକ୍ତ ଭାରତ ଅଭିଯାନରେ ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବାରେ ତାଙ୍କ ଭୂମିକା ରହିଥିବା ଉଲ୍ଲେଖ କରାଯାଇଛି। କୋଭିଡ୍-୧୯ ମହାମାରୀ ସମୟରେ ମଧ୍ୟ ଡଃ ଦାସ ନିଃସ୍ୱାର୍ଥ ଭାବେ ରୋଗୀଙ୍କ ସେବା କରିଥିବା ଏବଂ କୋଭିଡ୍ ଯୋଦ୍ଧା ଭାବେ ତାଙ୍କ ସେବା ଉଲ୍ଲେଖନୀୟ ଥିବା କାର୍ଯ୍ୟକ୍ରମରେ ପ୍ରକାଶ ପାଇଥିଲା। ଗ୍ରାମାଞ୍ଚଳର ଗରିବ ଓ ଅସହାୟ ରୋଗୀଙ୍କ ନିକଟରେ ଚିକିତ୍ସାସେବା ପହଞ୍ଚାଇବା ସହ ଜଟିଳ ରୋଗରେ ପୀଡ଼ିତ ଲୋକଙ୍କୁ ସମୟୋଚିତ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ଡଃ ଦାସଙ୍କ ଅବଦାନକୁ ଏହି ସମ୍ମାନରେ ସ୍ୱୀକୃତି ମିଳିଥିବା କୁହାଯାଇଛି। ନୂଆପଡ଼ା ଜିଲ୍ଲାର ଜଣେ ପରିଚିତ ଚିକିତ୍ସକ ଭାବେ ଡଃ ଦାସ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ। ରାଜ୍ୟସ୍ତରୀୟ ଏହି ସମ୍ମାନ ତାଙ୍କୁ ଆଗାମୀ ଦିନରେ ଅଧିକ ଉତ୍ସାହ ଓ ନିଷ୍ଠାର ସହ ସ୍ୱାସ୍ଥ୍ୟସେବା ଜାରି ରଖିବାକୁ ପ୍ରେରଣା ଦେବ ବୋଲି ମତ ପ୍ରକାଶ ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ