
ଜୟପୁର, ୧୯ ସେପ୍ଟେମ୍ବର (ହି.ସ.)- ଜୟପୁର ଠାରେ ଥିବା ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ୟୁଜି ସେକେଣ୍ଡ ସେମିଷ୍ଟାରର ଏଇସି ୧.୨, ଇଂରାଜୀ ପରୀକ୍ଷା ବାତିଲ୍ । ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହରେ ଏହାକୁ ବାତିଲ୍ କରାଯାଇଛି। ସୋସିଆଲ ମିଡିଆରେ ଆଜି ପରୀକ୍ଷା ପ୍ରଶ୍ନ ପତ୍ର ସହ ମେଳ ଖାଉଥିବା ପ୍ରଶ୍ନ ପତ୍ର ୱାଟ୍ସସାପ ଗ୍ରୁପରେ ଭାଇରାଲ ହୋଇଥିବା ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଜାଣିବା ପରେ ସତର୍କତାମୂଳକ ପଦକ୍ଷେପ ନେଇ ପରୀକ୍ଷା ବାତିଲ୍ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ।
ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା ଯୁକ୍ତ ତିନି ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂରାଜୀ ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ ରେ ଘୂରି ବୁଲିବା ଘଟଣା ସାମ୍ନାକୁ ଆସିବା ପରେ ଆଜିର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ରାୟଗଡା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଥିବା ୫୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ସ୍ଥଗିତ ରଖାଯାଇଛି।
ଆଜି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା। ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୋରାପୁଟ ସାଇବର ଥାନାରେ ଅଭିଯୋଗ କରାଯାଇଛି। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନଙ୍କ ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କିଛି ଛାତ୍ରଛାତ୍ରୀ ତାଙ୍କୁ ଭେଟି ହ୍ୱାଟ୍ସଆପ୍ ରେ ଏଇସିସି ପ୍ରଶ୍ନପତ୍ର ଘୂରି ବୁଲୁଥିବା ନେଇ ଜଣାଇଥିଲେ। ଛାତ୍ରଛାତ୍ରୀମାନେ ତାଙ୍କୁ ୪ରୁ ୫ଟି ଭିନ୍ନ ପ୍ରଶ୍ନପତ୍ର ଦେଖାଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନପତ୍ର ଆଜି ହେବାକୁ ଥିବା ଏଇସିସି ଇଂରାଜୀ ପରୀକ୍ଷାର ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଜଣାପଡ଼ିଥିଲା।
ଏହା ଜଣାପଡ଼ିବା ପରେ ପରୀକ୍ଷାର ସ୍ବଚ୍ଛତା ଓ ବିଶ୍ବସନୀୟତା ଦୃଷ୍ଟିରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପରୀକ୍ଷା ସ୍ଥଗିତ କରିଥିଲେ। ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ଅବିଭକ୍ତ କୋରାପୁଟ ଜିଲ୍ଲାର ୫୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବାର ଥିବା ବେଳେ ସମସ୍ତ କେନ୍ଦ୍ର ଅଧୀକ୍ଷକଙ୍କୁ ପରୀକ୍ଷା ସ୍ଥଗିତ ସମ୍ପର୍କରେ ଅବଗତ କରାଯାଇଛି। ଏହି ଘଟଣା ପଛରେ କିଛି ଅସାମାଜିକ ବ୍ୟକ୍ତିଙ୍କ ହାତ ଥାଇପାରେ ଏବଂ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏଭଳି ତଥ୍ୟ ପ୍ରଚାର କରାଯାଇ ଥାଇପାରେ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ତେବେ ଏନେଇ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ। ଛାତ୍ରଛାତ୍ରୀମାନେ କୌଣସି ଗୁଜବ କିମ୍ବା ହ୍ୱାଟ୍ସଆପ୍ରେ ପ୍ରଚାରିତ ବାର୍ତ୍ତାରେ ବିଭ୍ରାନ୍ତ ନହେବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଘଟଣାର ଗମ୍ଭୀରତାକୁ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ କୋରାପୁଟ ସାଇବର ଥାନାରେ ଅଭିଯୋଗ କରାଯାଇଛି। ହ୍ୱାଟ୍ସଆପ୍ ରେ ପ୍ରଶ୍ନପତ୍ର କିପରି ପହଞ୍ଚିଲା ଏବଂ ଏହା ପ୍ରକୃତ ପ୍ରଶ୍ନପତ୍ର ସହ କିପରି ମେଳ ଖାଇଲା, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାଯାଇଛି l
ସ୍ଥଗିତ ପରୀକ୍ଷା ପାଇଁ ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ପରେ ପରୀକ୍ଷାର ନୂତନ ତାରିଖ ଓ ସମୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି