
ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ, ସାଧାରଣ ଶୁଣାଣି ଦାବି
ଝାରସୁଗୁଡ଼ା, ୧୯ ସେପ୍େଟମ୍ବର (ହି.ସ.) : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ତହସିଲ ଅନ୍ତର୍ଗତ ଗୁଡ଼ିଗାଁ ମୌଜାର ୬୨.୩୭ ଏକର ସରକାରୀ ଜମିକୁ ଇଡକ୍କୋକୁ ହସ୍ତାନ୍ତର କରି ଶିଳ୍ପ ପ୍ରତିଷ୍ଠା ପାଇଁ ଦିଆଯିବା ପ୍ରସ୍ତାବକୁ ଗ୍ରାମବାସୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ବିରୋଧ କରିଛନ୍ତି। ଏନେଇ ଶନିବାର ଗ୍ରାମବାସୀଙ୍କ ପକ୍ଷରୁ କୋଲାବିରା ତହସିଲଦାର ମନୋଜ ପ୍ରଭାକର କୁଜୁରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗୁଡ଼ିଗାଁ ମୌଜାର ଖାତା ନମ୍ବର ୧୯୪ ଅଧୀନ ୬ଟି ପ୍ଲଟର ପ୍ରାୟ ୬୨ ଏକର ୩୭ ଡିସିମିଲ ସରକାରୀ ଜମିକୁ ଇଡକ୍କୋ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲିଜ୍ ଦେବାକୁ ତହସିଲ ପକ୍ଷରୁ ନୋଟିସ୍ ଜାରି ହୋଇଛି। ତେବେ ଏହି ଜମି ଗ୍ରାମବାସୀଙ୍କ ଗୋଚର, ଜୀବିକା ଓ ବିଭିନ୍ନ ସାମାଜିକ ଆବଶ୍ୟକତା ପାଇଁ ବ୍ୟବହୃତ ହେଉଥିବାରୁ ଏହା ହସ୍ତାନ୍ତର ହେଲେ ସ୍ଥାନୀୟ ଲୋକଙ୍କ ଜୀବିକା ପ୍ରଭାବିତ ହେବ ବୋଲି ସେମାନେ ଦର୍ଶାଇଛନ୍ତି।
ଶିଳ୍ପ ପ୍ରତିଷ୍ଠା ହେଲେ ଗୋଚର ଜମିର ଅଭାବ ସହ ଧୂଳି, ଧୂଆଁ, ଶବ୍ଦ ଏବଂ ବାୟୁ ଓ ଜଳ ପ୍ରଦୂଷଣ ବୃଦ୍ଧି ପାଇବା ଆଶଙ୍କା ରହିଥିବା ଗ୍ରାମବାସୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାଦ୍ୱାରା ଗ୍ରାମୀଣ ପରିବେଶ ଓ ସ୍ଥାନୀୟ ଲୋକଙ୍କ ଜୀବନଯାପନ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ତେଣୁ ଜମି ଆବଂଟନ ନିଷ୍ପତି ପୂର୍ବରୁ ଗ୍ରାମବାସୀ ଓ ସରପଂଚଙ୍କୁ ନେଇ ସାଧାରଣ ଶୁଣାଣି କରିବା, ଜମିର ପ୍ରତ୍ୟକ୍ଷ ସ୍ଥିତି ଯାଂଚ କରି ବିକଳ୍ପ ସରକାରୀ ଜମି ଚିହ୍ନଟ କରିବା ଏବଂ ଗ୍ରାମବାସୀଙ୍କ ଜୀବିକା ଓ ଭବିଷ୍ୟତ ଆବଶ୍ୟକତାକୁ ବିଚାରକୁ ନେଇ ପ୍ରସ୍ତାବର ପୁନଃବିଚାର କରିବାକୁ ଦାବି କରାଯାଇଛି।
ଦାବିପତ୍ର ପ୍ରଦାନ ସମୟରେ କୋଲାବିରା ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଶାୟତ, ଅତୁଲ୍ୟ ବିର୍ଗଠିଆ, ମନୋଜ ପଟେଲ, ଧର୍ମେନ୍ଦ୍ର କିଶାନ, ଦିବ୍ୟଲୋଚନ କିଶାନ, ଉମେଶ ସାନ୍ଧ, ହୃଷୀକେଶ ପଟେଲଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ