
ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ.) - ଗଞ୍ଜାମ ଜିଲ୍ଲାରେ ମ୍ୟୁଲ୍ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ଅର୍ଥ କାରବାର ଓ ଠକେଇ ମାମଲାରେ ଖଲ୍ଲିକୋଟ ଜେଏମ୍ଏଫସି ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି -ସୁଶାନ୍ତ ସାହୁ, ସୁଦାମ ପାତ୍ର, ପବିତ୍ର ସାହୁ, ବିମଳ କୁମାର ସାହୁ ଓ ପ୍ରଦୀପ ଦାସ। ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୮(୨)/୩(୫) ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ଅନୁଯାୟୀ, ବେଗୁନିଆପଡ଼ା ଥାନାରେ ମ୍ୟୁଲ ଆକାଉଂଟ ମାଧ୍ୟମରେ ଠକେଇ ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ଯୁବକମାନଙ୍କୁ ମାଗଣା ଭ୍ରମଣ ସୁଯୋଗ ଓ ଆର୍ôଥକ ଲାଭର ପ୍ରଲୋଭନ ଦେଖାଇ ବ୍ୟାଙ୍କ ଆକାଉଂଟ ଖୋଲିବାକୁ ପ୍ରବର୍ତାଉଥିଲେ। ପରେ ସେମାନଙ୍କଠାରୁ ଏଟିଏମ୍ କାର୍ଡ, ପାସବୁକ୍ ଓ ଅନ୍ୟାନ୍ୟ ବ୍ୟକ୍ତିଗତ କାଗଜପତ୍ର ନେଇ ସେହି ଆକାଉଂଟଗୁଡ଼ିକୁ ମ୍ୟୁଲ୍ ଆକାଉଂଟ ଭାବେ ବ୍ୟବହାର କରି ଟଙ୍କା କାରବାର ପାଇଁ ବ୍ୟବହାର କରୁଥିଲେ।
ପୁରୁଷୋତମପୁର ଏସଡିପିଓ ଶ୍ରୀ ଏସ୍.କେ. ନାୟକଙ୍କ ତତ୍ୱାବଧାନରେ ବେଗୁନିଆପଡ଼ା ପୋଲିସ ଏହି ମାମଲାର ତଦନ୍ତ କରିଥିଲା। ତଦନ୍ତ ସମୟରେ ବିଭିନ୍ନ ବ୍ୟାଙ୍କରୁ ଆକାଉଂଟ ଓ ଟଙ୍କା କାରବାର ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହାସହ ମୋବାଇଲ୍ ଫୋନ୍, ଲାପଟପ୍, ଏଟିଏମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ, ଚେକ୍ ବୁକ୍ ଓ ହୋଟେଲ୍ ବିଲ୍ ଆଦି ଜବତ କରାଯାଇଥିଲା।
ଏହି ମାମଲାରେ ଅଦାଲତ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୮(୨)/୩(୫) ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ବ୍ୟାଙ୍କ ଆକାଉଂଟର ଦୁରୁପଯୋଗ, ମ୍ୟୁଲ୍ ଆକାଉଂଟ ମାଧ୍ୟମରେ ଅର୍ଥ କାରବାର ଓ ଆର୍ôଥକ ଠକେଇ ବିରୋଧରେ ଓଡ଼ିଶା ପୋଲିସର ଆଇନଗତ କାର୍ଯ୍ୟାନୁଷ୍ଠାନ ଅବ୍ୟାହତ ରହିଛି। ଏପରି ଅପରାଧରେ ଜଡ଼ିତ ବ୍ୟକ୍ତି ଓ ମ୍ୟୁଲ୍ ବ୍ୟାଙ୍କ ଆକାଉଂଟ ପରିଚାଳନା କରୁଥିବା ନେଟୱର୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ଜାରି ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା