
ସରକାରୀ ସ୍ତରରେ ବିଭିନ୍ନ ପ୍ରସ୍ତାବ ଓ ମାମଲାର ନିର୍ଦ୍ଧାରିତ ସମୟରେ ତ୍ୱରିତ ଯାଂଚଏବଂ ସମାଧାନ କର
- ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ଯୋଗୁ୍ ବାଧା ଉପୁଜିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ତଥା କ୍ଷେତ୍ର ସ୍ତରରୁ ବିଭାଗକୁ ପଠାଯାଉଥିବା ବିଭିନ୍ନ ସ୍ପଷ୍ଟୀକରଣ, ଆଇନଗତ ମାମଲା ଏବଂ ନିର୍ଦ୍ଦେଶାବଳୀ ସମ୍ବନ୍ଧୀୟ ପ୍ରସ୍ତାବଗୁଡ଼ିକର ସମ୍ପୂର୍ଣ୍ଣ ସମୀକ୍ଷା, ତଥ୍ୟ ଯାଂଚ ଏବଂ ସମୟଭିତିକ ଅନୁଧ୍ୟାନ ନିଶ୍ଚିତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ବିନା ପର୍ଯ୍ୟାପ୍ତ ସମୀକ୍ଷା, ଅସମ୍ପୂର୍ଣ୍ଣ ତଥ୍ୟ କିମ୍ବା ଆବଶ୍ୟକୀୟ ଦସ୍ତାବିଜ୍ ବିନା ପ୍ରସ୍ତାବ ପଠାଯାଉଥିବାରୁ ବାରମ୍ବାର ଚିଠି ଆଦାନପ୍ରଦାନ ହେବା ସହ କାର୍ଯ୍ୟ ବିଳମ୍ବ ହେଉଥିବା ବିଭାଗ ପକ୍ଷରୁ ଲକ୍ଷ୍ୟ କରାଯାଇଛି । ଏହାକୁ ରୋକିବା ପାଇଁ ବିଭିନ୍ନ ଦିଗଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି ।
ପ୍ରତ୍ୟେକ ପ୍ରସ୍ତାବରେ ଘଟଣାର ପୂରା ପୃଷ୍ଠଭୂମି, ସମ୍ପୃକ୍ତ ଆଇନ ତଥା ନିୟମ, ଏହାର ବିଶ୍ଳେଷଣ ଏବଂ ଜିଲ୍ଲାପାଳ କିମ୍ବା ସମ୍ପୃକ୍ତ କର୍ତୃପକ୍ଷଙ୍କ ମତାମତ ଓ ସୁପାରିଶ୍ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଆବଶ୍ୟକ। ଅଦାଲତ ମାମଲାର ସମୟଭିତିକ ପରିଚାଳନା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇ ଅଦାଲତଙ୍କ ଆଦେଶ, ଆଇନଗତ ସମୟସୀମା କିମ୍ବା ଅଦାଲତ ଅବମାନନା ସମ୍ବନ୍ଧୀୟ ମାମଲାଗୁଡ଼ିକୁ ଶେଷ ମୁହୂର୍ତରେ ନପଠାଇ ଯଥେଷ୍ଟ ପୂର୍ବରୁ ବିଭାଗକୁ ପଠାଇବାକୁ କୁହାଯାଇଛି । ଏଥିରେ କୌଣସି ପ୍ରକାରର ବିଳମ୍ବକୁ ଗ୍ରହଣ କରାଯିବ ନାହିଁ ।
ଓଡ଼ିଶା ଉଚ୍ଚନ୍ୟାୟାଳୟରେ ରିଟ୍ ଅପିଲ୍ କିମ୍ବା ସୁପ୍ରିମ୍ କୋର୍ଟରେ ଏସଏଲପି ଦାଖଲ ପାଇଁ ଆଇନ ବିଭାଗର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ସବୁ କ୍ଷେତ୍ରରେ ସରକାରୀ ନିୟମ କିମ୍ବା ମାର୍ଗଦର୍ଶିକା ସ୍ପଷ୍ଟ ରହିଛି, ସେଠାରେ ଅନାବଶ୍ୟକ ଭାବେ ସ୍ପଷ୍ଟୀକରଣ ପାଇଁ ବିଳମ୍ବ ନ କରି ଜିଲ୍ଲା ସ୍ତରରେ ନିଜେ ବିଶ୍ଳେଷଣ କରି ବିଚାରପୂର୍ବକ ନିଷ୍ପତି ନେବାକୁ କୁହାଯାଇଛି । ସମସ୍ତ ଚିଠିପତ୍ର ବିଭାଗର ଅଫିସିଆଲ୍ ଇ-ମେଲ୍ ମାଧ୍ୟମରେ ପଠାଯିବା ସହ ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଆବଶ୍ୟକ ନଥିପତ୍ର ଦାଖଲ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅସମ୍ପୂର୍ଣ୍ଣ କିମ୍ବା ବିଳମ୍ବରେ ପ୍ରସ୍ତାବ ପଠାଇବା ଯୋଗୁଁ ଯଦି କୌଣସି ଆଇନଗତ କିମ୍ବା ପ୍ରଶାସନିକ ସମସ୍ୟା ସୃଷ୍ଟି ହୁଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲା ସ୍ତରରେ ପ୍ରସ୍ତାବଗୁଡ଼ିକର ଯାଂଚ ଓ ନିୟମିତ ଅନୁଧ୍ୟାନ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା