ସେପ୍ଟେମ୍ବର ୪ରୁ ହାଇଦ୍ରାବାଦ–ଭୁବନେଶ୍ଵର ସିଧାସଳଖ ବିମାନ, ପୁଣି ଉଡ଼ିବ ଭୁବନେଶ୍ଵର–ଝାରସୁଗୁଡ଼ା ଫ୍ଲାଇଟ୍
Again flight Will start jsg bbsr
ସେପ୍ଟେମ୍ବର ୪ରୁ ହାଇଦ୍ରାବାଦ–ଭୁବନେଶ୍ଵର ସିଧାସଳଖ ବିମାନ, ପୁଣି ଉଡ଼ିବ ଭୁବନେଶ୍ଵର–ଝାରସୁଗୁଡ଼ା ଫ୍ଲାଇଟ୍


ଝାରସୁଗୁଡ଼ା, ୨ ସେପ୍ଟେମ୍ବର (ହି.ସ.)- ଓଡ଼ିଶାର ବିମାନ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଷ୍ଟାର୍ ଏୟାର୍ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସଞ୍ଜୟ ଘୋଡାୱତ ଗ୍ରୁପ୍ ର ଏହି ବିମାନ ସଂସ୍ଥା ଆସନ୍ତା ସେପ୍ଟେମ୍ବର ୪ରୁ ହାଇଦ୍ରାବାଦ–ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ସହ ଭୁବନେଶ୍ୱର–ଝାରସୁଗୁଡ଼ା ରୁଟ୍ ରେ ପୁନର୍ବାର ଫ୍ଲାଇଟ୍ ସେବା ଆରମ୍ଭ କରିବ। ବୁଧବାର କମ୍ପାନୀ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ନୂତନ ଯୋଜନା ଅନୁଯାୟୀ, ଓଡ଼ିଶା ପାଇଁ ସପ୍ତାହକୁ ମୋଟ ୨୪ଟି ନୂତନ ବିମାନ ସେବା ଯୋଡ଼ାଯିବ। ସେଥିମଧ୍ୟରୁ ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବା ସପ୍ତାହରେ ୬ ଦିନ ଚଳାଚଳ କରିବ। ଏହା ଦ୍ୱାରା ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଯାତାୟାତ ଅଧିକ ସୁବିଧାଜନକ ହେବା ସହ ରାଜଧାନୀ ଭୁବନେଶ୍ୱର, ଝାରସୁଗୁଡ଼ା ଶିଳ୍ପାଞ୍ଚଳ ଓ ସମ୍ବଲପୁର ଅଞ୍ଚଳ ମଧ୍ୟରେ ସଂଯୋଗ ସୁଦୃଢ଼ ହେବ।

ସେହିପରି ହାଇଦ୍ରାବାଦ–ଭୁବନେଶ୍ୱର ସିଧା ବିମାନ ସେବା ଆରମ୍ଭ ହେବା ଫଳରେ ଆଇଟି, ଫାର୍ମା, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯାତାୟାତ ଅଧିକ ସହଜ ହେବ ବୋଲି ଆଶା କରାଯାଉଛି। ଏହାସହ ପଶ୍ଚିମ ଓଡ଼ିଶା ଓ ଝାରସୁଗୁଡ଼ା ଅଞ୍ଚଳରୁ ପୁରୀ, କୋଣାର୍କ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଯାତ୍ରା କରୁଥିବା ପର୍ଯ୍ୟଟକମାନେ ମଧ୍ୟ ବିଶେଷ ଉପକୃତ ହେବେ।

ଷ୍ଟାର୍ ଏୟାର୍ ର ମୁଖ୍ୟ ବାଣିଜ୍ୟିକ ଓ ବିପଣନ ଅଧିକାରୀ ଶିଳ୍ପା ଭାଟିଆ କହିଛନ୍ତି, ଏହି ନୂତନ ବିମାନ ସେବା ତେଲେଙ୍ଗାନା ଓ ପଶ୍ଚିମ ଓଡ଼ିଶା, ବିଶେଷ କରି ଶିଳ୍ପନଗରୀ ଝାରସୁଗୁଡ଼ା ମଧ୍ୟରେ ସଂଯୋଗକୁ ଅଧିକ ସୁଦୃଢ଼ କରିବ। ଏହା ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଯାତ୍ରୀଙ୍କ ପାଇଁ ଯାତ୍ରାକୁ ଅଧିକ ସହଜ, ଦ୍ରୁତ ଓ ନିର୍ଭରଯୋଗ୍ୟ କରିବା ସହ ଆଞ୍ଚଳିକ ଅର୍ଥନୀତିର ବିକାଶରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande