
ଝାରସୁଗୁଡ଼ା, ୨ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ପରମାଣପୁର ଗ୍ରାମର ନାଏକ ପଡ଼ାରେ ନିର୍ମାଣାଧୀନ ଭଗବାନ ଶ୍ରୀଜଗନ୍ନାଥଙ୍କ ମାଉସୀ ମା ମନ୍ଦିର ପ୍ରାୟ ୧୫ ବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ପାଣ୍ଠିର ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ମନ୍ଦିରର ନିର୍ମାଣକାର୍ଯ୍ୟ ଆଗକୁ ବଢ଼ିପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମେତ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀରେ ଏହି ମାଉସୀ ମା ମନ୍ଦିରର ସ୍ୱତନ୍ତ୍ର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ତେବେ ପ୍ରାୟ ଦେଢ଼ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଦୀର୍ଘ ଦିନ ଧରି କାମ ବନ୍ଦ ରହିବା ଫଳରେ ନିର୍ମାଣାଧୀନ ସଂରଚନା କ୍ଷତିଗ୍ରସ୍ତ ହେବାକୁ ବସିଥିବାବେଳେ ଭକ୍ତମାନଙ୍କ ଧାର୍ମିକ ଭାବନା ମଧ୍ୟ ଆହତ ହେଉଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଲଇକେରା, କୋଲାବିରା ଓ କିର୍ମିରା ବ୍ଲକକୁ ନେଇ ଗଠିତ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ମନ୍ଦିରର ଶୀଘ୍ର ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠି ଆବଣ୍ଟନ ଦାବି କରାଯାଇଛି। ପରିଷଦର ସାଧାରଣ ସମ୍ପାଦକ ସମ୍ବିତ ନାଏକ ଏବଂ ସଭ୍ୟ ଅରୁଣ ନାଏକ ମିଳିତ ଭାବେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ମନ୍ଦିରର ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହ ସ୍ୱତନ୍ତ୍ର ପାଣ୍ଠି ମଞ୍ଜୁର କରିବାକୁ ଅନୁରୋଧ ଜଣାଇଛନ୍ତି। ଏହାଦ୍ୱାରା ଅଞ୍ଚଳର ଧାର୍ମିକ ପରମ୍ପରାର ସୁରକ୍ଷା ସହ ଭକ୍ତମାନଙ୍କ ଦୀର୍ଘଦିନର ଆଶା ପୂରଣ ହେବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ