
ଝାରସୁଗୁଡ଼ା, ୨ ସେପ୍ଟେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାରୁ ୫୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ହେବେ। ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କୁ ସରକାରୀ ସହାୟତାରେ ତୀର୍ଥସ୍ଥାନ ଅଯୋଧ୍ୟା ରୁ ବlରlଣାସୀ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଉଛି। ତୀର୍ଥଯାତ୍ରାରେ ଯୋଗଦେବାକୁ ଥିବା ଝାରସୁଗୁଡ଼ା ଜିଲ୍ଲାର ୫୦ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଜିଲ୍ଲା ସଂସ୍କୃତି ଭବନଠାରେ ତା. ୨୧.୦୯.୨୦୨୬ ( ସୋମବାର ) ସକାଳ ୮ଟା ସୁଦ୍ଧା ରିପୋର୍ଟିଂ କରିବେ। ସେଠାରେ ସମସ୍ତ ତୀର୍ଥଯାତ୍ରୀଙ୍କର ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସ୍ୱାସ୍ଥ୍ୟ ପରୀକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକ ପ୍ରକ୍ରିୟା ସମାପ୍ତ ପରେ ସେମାନେ ନିର୍ଦ୍ଧାରିତ ତୀର୍ଥସ୍ଥାନ ଅଭିମୁଖେ ଯାତ୍ରା କରିବେ। ଏହି ତୀର୍ଥଯାତ୍ରାକୁ ସୁବ୍ୟବସ୍ଥିତ ଓ ସଫଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ୱାଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଉଛି। ଡେପୁଟି କଲେକ୍ଟର ସୋମେଶ ଆଚାର୍ଯ୍ୟ ଏବଂ କନିଷ୍ଠ ସହାୟକ ଅଲିଶ ପଟେଲଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ତୀର୍ଥଯାତ୍ରୀମାନଙ୍କ ସୁବିଧା ଓ ଯାତ୍ରାର ସୁଚାରୁ ପରିଚାଳନା ପାଇଁ କାର୍ଯ୍ୟରତ ଅଛନ୍ତି।
ଏହି ତୀର୍ଥଯାତ୍ରା ବରିଷ୍ଠ ନାଗରିକମାନଙ୍କ ମନରେ ଧାର୍ମିକ ଭାବନାକୁ ଦୃଢ଼ କରିବା ସହିତ ସେମାନଙ୍କୁ ମାନସିକ ଆନନ୍ଦ ପ୍ରଦାନ କରିବ। ଏଥିସହ ସେମାନଙ୍କ ମଧ୍ୟରେ ସାମାଜିକ ସମ୍ପର୍କ, ଭାତୃତ୍ୱ ଓ ସାମୂହିକତାର ଭାବନାକୁ ଆହୁରି ସୁଦୃଢ଼ କରିବ ବୋଲି ତୀର୍ଥଯାତ୍ରୀ ମାନେ ଆଶାବ୍ୟକ୍ତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ