
ଭୁବନ, ୨୧ ସେପ୍ଟେମ୍ବର(ହି.ସ.) – ଯେଉଁଠି ଭକ୍ତିରେ ମିଶିଛି ସୃଜନଶୀଳତା, ଯେଉଁଠି କଳ୍ପନା ନେଇଛି ଭବ୍ୟତାର ରୂପ ସେଇଠି ଜନ୍ମ ନେଇଛି ଭୁବନର ଅପୂର୍ବ ‘ପ୍ରେମ ମନ୍ଦିର’। ଫ୍ରେଣ୍ଡସିପ କ୍ଲବ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଆଜି ଗୌରବମୟ ୧୨ ବର୍ଷରେ ପଦାର୍ପଣ କରିଛି। ଏହି ଦୀର୍ଘ ଯାତ୍ରା କେବଳ ଏକ ପୂଜାର ପରମ୍ପରା ନୁହେଁ; ଏହା ଭୁବନର ଯୁବଶକ୍ତିର ଏକତା, ଭକ୍ତି ଓ ସୃଜନଶୀଳତାର ଅନନ୍ୟ ପରିଚୟ। ଗଣେଶ ପୂଜା ଭାଇଚାରା,ଏକତା ଓ ସମ୍ପର୍କକୁ ମଜବୁତ କରିବାର ମାଧ୍ୟମ ବୋଲି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଫ୍ରେଣ୍ଡସିପ କ୍ଲବ୍ର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏଥର ରାଧାରାଣୀଙ୍କ ପ୍ରେମ ମନ୍ଦିରର ଭବ୍ୟ ଓ ଦିବ୍ୟ ରୂପ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ଦେଖିବା ପାଇଁ ବିପୁଳ ଜନସମାଗମ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଫ୍ରେଣ୍ଡସିପ କ୍ଲବର ସଭାପତି, କର୍ମକର୍ତାମାନଙ୍କୁ ନଗରପାଳ ଶ୍ରୀ ସାହୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ କ୍ଲବ୍ ସଦସ୍ୟମାନଙ୍କର ପରିଶ୍ରମ ଓ ସୃଜନଶୀଳତା ଭୁବନକୁ ଆଉ ଦୁଇପାଦ ଆଗକୁ ନେଇଛି ଓ ନୂଆ ପରିଚୟ ଦେଇଛି। ଏହି ଯୁବଶକ୍ତି ହିଁ ଆମ ଭୁବନର ଭବିଷ୍ୟତର ସବୁଠାରୁ ବଡ଼ ଶକ୍ତି। ଭୁବନର ସାଂସ୍କୃତିକ ପରମ୍ପରା, ସାମାଜିକ ଏକତା ଓ ଭାଇଚାରା ଆହୁରି ସୁଦୃଢ଼ ହେଉ ବୋଲି କହିଥିଲେ। ସଭାପତି ଜୀବନ ଜ୍ୟୋତି ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଚିନ୍ମୟ କୁମାର ପୃଷ୍ଟି ଯୋଗଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ