
ମାଲକାନଗିରି, ୨୧ ସେପ୍ଟେମ୍ବର(ହି.ସ.) – ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପରିଚାଳିତ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ପ୍ରକ୍ରିୟା ସଫଳତାର ସହ ଶେଷ ହେବା ପରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫ୍ଏଲ୍ସାଇ ହଲ୍ ଠାରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରକାଶିତ ଏହି ତାଲିକା ଅନୁଯାୟୀ ଜିଲ୍ଲାରେ ସମୁଦାୟ ୪,୧୫,୧୩୨ ଜଣ ନିର୍ବାଚକ ସ୍ଥାନ ପାଇଛନ୍ତି। ଏଥିମଧ୍ୟରେ ୨,୦୨,୫୪୬ ଜଣ ପୁରୁଷ, ୨,୧୨,୫୫୨ ଜଣ ମହିଳା ଏବଂ ୩୪ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି, ଯାହାଦ୍ୱାରା ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଥିବା ସ୍ପଷ୍ଟ ହୋଇଛି।
ନିର୍ବାଚନ ମଣ୍ଡଳୀ ୱାରି ତଥ୍ୟ ଅନୁଯାୟୀ, ୧୪୬-ମାଲକାନଗିରି(ଜନଜାତି) ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨,୨୪,୯୬୬ ଏବଂ ୧୪୭-ଚିତ୍ରକୋଣ୍ଡା(ଜନଜାତି) ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୧,୯୦,୧୬୬ ରହିଛି। ଏହି ସଂଶୋଧନ ପ୍ରକ୍ରିୟାରେ ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତୀକରଣ କରାଯାଇ ଜିଲ୍ଲାରେ ୧୧୮ଟି ନୂତନ ବୁଥ୍ ସୃଷ୍ଟି କରାଯାଇଛି, ଯାହାଫଳରେ ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୫୪୯ରୁ ବୃଦ୍ଧି ପାଇ ୬୬୬ରେ ପହଂଚିଛି। ଗତ ମେ’ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଚାଲିଥିବା ଏନ୍ୟୁମେରେସନ୍ ପର୍ଯ୍ୟାୟରେ ୮୯.୭୫ ପ୍ରତିଶତ ଫର୍ମ ସଂଗୃହିତ ହୋଇଥିଲା ଏବଂ ଯାଂଚପରେ ନିୟମାନୁସାରେ ଆବଶ୍ୟକୀୟ ସଂଶୋଧନ କରାଯାଇଥିଲା।
ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ନାଗରିକଙ୍କୁ ନିଜର ନାମ ଓ ବିବରଣୀ ଅଧିକୃତ ପୋର୍ଟାଲ ଜରିଆରେ ଯାଂଚ କରିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ ତାଲିକାରୁ ବାଦ ପଡ଼ିଥାଏ, ତେବେ ସେମାନେ ନିର୍ଦ୍ଧାରିତ ପୋର୍ଟାଲରେ ରେଫରେନ୍ସ ନମ୍ବର ଦେଇ ଅପିଲ୍ ଦାଖଲ କରିବାର ସୁବିଧା ରହିଛି। କୌଣସି ମଧ୍ୟ ସହାୟତା କିମ୍ବା ଅନୁସନ୍ଧାନ ପାଇଁ ୧୯୫୦ ଭୋଟର ହେଲ୍ପଲାଇନ କିମ୍ବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ସରକାରୀ ଇ-ମେଲ୍ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି।
ଏହି ସମଗ୍ର ନିର୍ବାଚନୀ ପ୍ରକ୍ରିୟା ଏବଂ ସଂଶୋଧନ କାର୍ଯ୍ୟକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ , ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଏଡିଏମ୍(ରାଜସ୍ୱ) ବେଦବର ପ୍ରଧାନ, ୧୪୭-ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଏଡିଏମ୍(ପ୍ରଶାସନ) ସୋମନାଥ ପ୍ରଧାନ ଏବଂ ୧୪୬-ମାଲକାନଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଦ୍ୱାରା ସୁଚାରୁରୂପେ ପରିଚାଳିତ କରାଯାଇଛି।
ଏହି ବୈଠକ ଓ ପ୍ରକ୍ରିୟାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଭାପତି ମାନସ ମାଡ଼କାମି, କଂଗ୍ରେସ ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର, ବିଏସ୍ପି ଜିଲ୍ଲା ସଭାପତି ଜାରା ଶବର ମାଢି, ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡ଼ା, କଂଗ୍ରେସ ପ୍ରତିନିଧି ପଦ୍ମା ପାଙ୍ଗି ଏବଂ ବିଜେପି ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତୀ ପ୍ରମୁଖ ଯୋଗଦେଇ ନିର୍ବାଚନୀ ତାଲିକା ଯାଂଚ ଓ ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ