

କନ୍ଧମାଳ, ୨୧ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଫୁଲବାଣୀ କଲେକ୍ଟରେଟ୍ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ତାଲିକା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାର ନକଲ (ସିଡି ଓ ହାର୍ଡ କପି) ପ୍ରଦାନ କରାଯାଇଛି। ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ଅଧିକ : ନୂତନ ଭୋଟର ତାଲିକାର ତଥ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୫,୩୪,୨୨୬ କୁ ବୃଦ୍ଧି ପାଇଛି। ଚଳିତ ତାଲିକାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲାରେ ମୋଟ ୨,୬୧,୫୧୬ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨, ୭୨, ୬୩୮ ରହିଛି। ଏହାଛଡ଼ା ତାଲିକାରେ ୭୨ ଜଣ ତୃତୀୟ ଲିଙ୍ଗୀ (ଟିଜି) ଭୋଟର ମଧ୍ୟ ସାମିଲ ଅଛନ୍ତି। ସେହିପରି ଭୋଟରମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ମୋଟ ବୁଥ୍ ସଂଖ୍ୟା ୬୬୧ ରୁ ୮୧୨ କୁ ବୃଦ୍ଧି କରାଯାଇଛି।ନିର୍ବାଚନ ମଣ୍ଡଳୀ ଅନୁଯାୟୀ ସ୍ଥିତି- ୮୨-ବାଲିଗୁଡ଼ା (ଏସଟି): ମୋଟ ଭୋଟର ୧,୫୭,୦୯୧ (ପୁରୁଷ: ୭୫, ୬୧୭, ମହିଳା: ୮୧, ୪୫୨, ଟିଜି: ୨୨, ବୁଥ୍: ୨୩୮)୮୩-ଜି.ଉଦୟଗିରି (ଏସଟି): ମୋଟ ଭୋଟର ୧, ୯୩, ୨୩୪ (ପୁରୁଷ: ୯୫, ୦୦୭, ମହିଳା: ୯୮, ୧୯୫, ଟିଜି: ୩୨, ବୁଥ୍: ୨୯୧)୮୪-ଫୁଲବାଣୀ (ଏସଟି): ମୋଟ ଭୋଟର ୧, ୮୩, ୯୦୧ (ପୁରୁଷ: ୯୦, ୮୯୨, ମହିଳା: ୯୨, ୯୯୧, ଟିଜି: ୧୮, ବୁଥ୍: ୨୮୩)ବ୍ୟାପକ ସଂଶୋଧନ ଓ ଯାଞ୍ଚ ପ୍ରକ୍ରିୟା-ଗତ ଜୁଲାଇ ୫ ତାରିଖରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଦାବି ଓ ଆପତ୍ତି ଅଭିଯୋଗ ଅବଧି ମଧ୍ୟରେ ନୂତନ ନାମ ପଞ୍ଜୀକରଣ ପାଇଁ ମୋଟ ୨,୭୭୧ଟି ଫର୍ମ-୬ ଆବେଦନ ମିଳିଥିଲା। ଯାଞ୍ଚ ପରେ ସେଥିରୁ ୨,୫୮୦ଟି ସଠିକ୍ ଆବେଦନକୁ ଗ୍ରହଣ କରାଯାଇ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ପାଇଁ ୩୯,୬୩୬ଟି ଫର୍ମ-୭ ଏବଂ ତ୍ରୁଟି ସଂଶୋଧନ ପାଇଁ ୨, ୯୭୫ଟି ଫର୍ମ-୮ ଗ୍ରହଣ କରାଯାଇ ତାଲିକାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରାଯାଇଛି।
ଏହି ସ୍ୱତନ୍ତ୍ର ବୈଠକରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ , (ଭାରତୀୟ ପ୍ରଶାସନିକ ସେବା) ପ୍ରଶିକ୍ଷଣରତ ଜସକରଣ ସିଂ, ଫୁଲବାଣୀ ଇଆରଓ ତଥା ଉପ ଜିଲ୍ଲାପାଳ ଫୁଲବାଣୀ ଭିକାରୀ ସାହୁ, ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ଯୁଧିଷ୍ଠିର ମେହେର,ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ, ଏଇଆରଓ ତଥା ପୌରନିର୍ବାହୀ ଅଧିକାରୀ ପୌରପରିଷଦ ଫୁଲବାଣୀ ସମରେଶ ମହାନ୍ତି, ଆସିଷ୍ଟାଣ୍ଟ କଲେକ୍ଟର (ନିର୍ବାଚନ) କୁମୁଦିନୀ ମଲ୍ଲିକ, ଡେପୁଟି କଲେକ୍ଟର (ନିର୍ବାଚନ) ଅଙ୍କିତ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନଳିନୀକାନ୍ତ ସାହୁ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିନିଏଲ ନାଇକା ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆପ୍ (ଏଏପି) ପ୍ରତିନିଧି ଗିରିଶ ପଟ୍ଟନାୟକ, ବିଜେପି ପ୍ରତିନିଧି ଲିଙ୍ଗରାଜ ଦଳବେହେରା ଏବଂ କଂଗ୍ରେସ ପ୍ରତିନିଧି ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରଶାସନର ଏହି ସ୍ୱଚ୍ଛ ପ୍ରକ୍ରିୟାକୁ ପ୍ରଶଂସା କରିବା ସହ ନୂତନ ତାଲିକା ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ