ଝାରସୁଗୁଡ଼ାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା; ମୋଟ ଭୋଟର ସଂଖ୍ୟା ୪,୧୧,୯୮୯
Final-voter-list-Jharsuguda
ଝାରସୁଗୁଡ଼ାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା


ଝାରସୁଗୁଡ଼ା, ୨୧ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି କନଫରେନ୍ସ ହଲ୍ ରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଉପସ୍ଥିତ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ର ହାର୍ଡ କପି ପ୍ରଦାନ କରାଯାଇଛି।

ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୪,୧୧,୯୮୯ରେ ପହଞ୍ଚିଛି। ଏଥିମଧ୍ୟରୁ ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୧,୯୮,୭୬୭ ଜଣ ଏବଂ ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨,୧୩,୨୨୨ ଜଣ ଭୋଟର ରହିଛନ୍ତି। ପୂର୍ବରୁ ପ୍ରକାଶିତ ଡ୍ରାଫ୍ଟ ତାଲିକାରେ ଭୋଟର ସଂଖ୍ୟା ୪,୦୯,୮୯୧ ଥିବା ବେଳେ ଯାଞ୍ଚ ଓ ସଂଶୋଧନ ପରେ ସମୁଦାୟ ୩,୯୯୪ ଜଣ ନୂତନ ଭୋଟରଙ୍କ ନାମ (ଫର୍ମ-୬ ମାଧ୍ୟମରେ- ବ୍ରଜରାଜନଗରରୁ ୧,୭୬୯ ଓ ଝାରସୁଗୁଡ଼ାରୁ ୨,୨୨୫) ଯୋଗ କରାଯାଇଛି। ସେହିପରି ସ୍ଥାୟୀ ସ୍ଥାନାନ୍ତର, ମୃତ୍ୟୁ ତଥା ଅନ୍ୟାନ୍ୟ ଆଇନଗତ କାରଣରୁ ଫର୍ମ-୭ ଅନୁଯାୟୀ ୧,୮୯୬ ଜଣଙ୍କ ନାମ (ବ୍ରଜରାଜନଗରରୁ ୪୮୦ ଓ ଝାରସୁଗୁଡ଼ାରୁ ୧,୪୧୬) ବାଦ୍ ଦିଆଯାଇଛି ଏବଂ ଫର୍ମ-୮ ମାଧ୍ୟମରେ ୧,୩୪୭ଟି ତ୍ରୁଟି ସଂଶୋଧନ ଆବେଦନ ଅପଡେଟ କରାଯାଇଛି।

ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ମଧ୍ୟରେ ବିଜେପିରୁ ନୱଲ ଅଗ୍ରୱାଲ, ବିଜେଡିରୁ ରଘୁନନ୍ଦନ ପାଢ଼ୀ, ସିପିଆଇ (ଏମ୍) ରୁ ଗୌରୀଶଙ୍କର ପାତ୍ର ଓ ବାସୁଦେବ ଧୁରୁଆ, ବିଏସପି ରୁ ଲକ୍ଷ୍ମଣ ଉର୍ମା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ କୁମାର ସୋରେଙ୍ଗ, ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଇଆରଓ ତଥା ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଡେପୁଟି କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ, ସହକାରୀ ଜିଲ୍ଲାପାଳ ଦୁଷ୍ମନ୍ତ ମହାନ୍ତି ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତିକାନ୍ତି ବଳିଆରସିଂହ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande