ପଣ୍ଡାଲ, ମୂର୍ତି, ଶୃଙ୍ଖଳା ଓ ବିସର୍ଜନ ପାଇଁ ମିଳିବ ନଗଦ ପୁରସ୍କାର
For the first time Ganesh Puja Award
ଝାରସୁଗୁଡ଼ାରେ ପ୍ରଥମଥର ‘ଗଣେଶ ପୂଜା ଆୱାର୍ଡ୍ସ’


ଝାରସୁଗୁଡ଼ା, ୨୧ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ସହରରେ ପ୍ରଥମଥର ପାଇଁ ‘ଝାରସୁଗୁଡ଼ା ଗଣେଶ ପୂଜା ଆୱାର୍ଡ୍ସ-୨୦୨୬’ ଆୟୋଜନ କରାଯାଉଛି। ଝାରସୁଗୁଡ଼ା ପୂଜା ଆୱାର୍ଡ୍ସ କମିଟି ଓ ସ୍ଥାନୀୟ ଡିଜିଟାଲ୍ ପ୍ଲାଟଫର୍ମର ମିଳିତ ସହଯୋଗରେ ଏହି ଆୱାର୍ଡ୍ସ ଆୟୋଜିତ ହେଉଛି। ସହରର ବିଭିନ୍ନ ଗଣେଶ ପୂଜା କମିଟିର ସୃଜନଶୀଳତା, ପରିଶ୍ରମ, ନିଷ୍ଠା ଓ ସାମୁଦାୟିକ ଭାବନାକୁ ସମ୍ମାନ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ସିଦ୍ଧାର୍ଥ ଅବସ୍ଥୀ, ରିତେଶ ଶର୍ମା ଓ କୃଷ୍ଣ ମୁନ୍ଦ୍ରାଙ୍କ ପରିକଳ୍ପନାରେ ଏହି ପଦକ୍ଷେପ ଆରମ୍ଭ ହୋଇଛି। ପ୍ରତିବର୍ଷ ପୂଜା କମିଟିଗୁଡ଼ିକ ଆକର୍ଷଣୀୟ ପଣ୍ଡାଲ, ମନୋରମ ମୂର୍ତି, ଆଲୋକସଜ୍ଜା, ଶୃଙ୍ଖଳିତ ବ୍ୟବସ୍ଥା ଓ ବିଭିନ୍ନ ଆୟୋଜନ ପାଇଁ ବ୍ୟାପକ ପରିଶ୍ରମ କରୁଛନ୍ତି। ଏହି ପୁରସ୍କାର ମାଧ୍ୟମରେ ସେମାନଙ୍କ ପ୍ରୟାସକୁ ସ୍ୱୀକୃତି ଦେବା ସହ ଆଗାମୀ ଦିନରେ ଅଧିକ ସୃଜନଶୀଳ ଓ ଶୃଙ୍ଖଳିତ ପୂଜା ଆୟୋଜନ ପାଇଁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ରହିଛି।

ଆୟୋଜକଙ୍କ ସୂଚନା ଅନୁସାରେ, ଶ୍ରେଷ୍ଠ ପଣ୍ଡାଲ ଓ ସଜ୍ଜା ପାଇଁ ୩୧ ହଜାର ଟଙ୍କା, ଶ୍ରେଷ୍ଠ ମୂର୍ତି ପାଇଁ ୨୧ ହଜାର ଟଙ୍କା, ଶ୍ରେଷ୍ଠ ଶୃଙ୍ଖଳା ଓ ସ୍ୱଚ୍ଛ ପଣ୍ଡାଲ ପାଇଁ ୧୧ ହଜାର ଟଙ୍କା ଏବଂ ଶ୍ରେଷ୍ଠ ବିସର୍ଜନ ପାଇଁ ୨୧ ହଜାର ଟଙ୍କା ନଗଦ ପୁରସ୍କାର ରହିଛି। ଏହାସହ କିଛି ବର୍ଗରେ ରନର୍ସ-ଅପ୍ ପୁରସ୍କାର ମଧ୍ୟ ଦିଆଯିବ।

ସେହିପରି ‘ସର୍ବାଧିକ ଭୋଟ୍’, ‘ନୂତନ ଧାରଣା’, ‘ମୂର୍ତି’ ଓ ‘ସ୍ପେଶାଲ୍ ଜୁରି ଚଏସ୍’ ଭଳି ୪ଟି ବର୍ଗରେ ପ୍ରତ୍ୟେକ ବିଜେତାଙ୍କୁ ୫,୧୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ।

ଏ ସମ୍ପର୍କରେ ସିଦ୍ଧାର୍ଥ ଅବସ୍ଥୀ କହିଛନ୍ତି, ଗତ ଦୁଇ ବର୍ଷ ଧରି ପୂଜା କମିଟିଗୁଡ଼ିକର ପରିଶ୍ରମକୁ ସମ୍ମାନ ଦେବା ପାଇଁ ଏକ ମଂଚ ସୃଷ୍ଟି କରିବା ନେଇ ଚିନ୍ତା କରାଯାଉଥିଲା।

ଜନସାଧାରଣଙ୍କ ଭୋଟ୍ ପାଇଁ ସ୍ୱତନ୍ତ୍ର ଅନଲାଇନ୍ ପ୍ଲାଟଫର୍ମ ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୪ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୋଟିଂ ଚାଲିବ। ପ୍ରତ୍ୟେକ ପୂଜା କମିଟି ପାଇଁ ନିର୍ଦ୍ଦିଷ୍ଟ ଓଆର କୋଡ୍ ରହିବ। ମୋବାଇଲ୍ ଓଟିପି ଭେରିଫିକେସନ୍ ମାଧ୍ୟମରେ ଜନସାଧାରଣ ଭୋଟ୍ ଦେଇପାରିବେ।

ତେବେ ବିଜେତା ଚୟନ କେବଳ ଜନସାଧାରଣଙ୍କ ଭୋଟ୍ ଆଧାରରେ ହେବ ନାହିଁ। ପବ୍ଲିକ୍ ଭୋଟିଂ ସହ ସ୍ୱାଧୀନ ଜୁରି ପ୍ୟାନେଲର ମୂଲ୍ୟାୟନକୁ ମିଶାଇ ଚୂଡ଼ାନ୍ତ ଫଳାଫଳ ନିର୍ଦ୍ଧାରଣ କରାଯିବ ବୋଲି ରିତେଶ ଶର୍ମା କହିଛନ୍ତି। ଜୁରି ପ୍ୟାନେଲରେ ସଞ୍ଜୟ ଲୋଧା, ସନ୍ଦୀପ ଅବସ୍ଥୀ, ମୁକେଶ ତିୱାରୀ, ସଞ୍ଜୟ ପାଣିଗ୍ରାହୀ, ଆଶିଷ ଦାସ ଓ ଅକ୍ଷୟ ପତି ସାମିଲ ଅଛନ୍ତି।

ଗଣେଶ ପୂଜା ଯୋଗୁଁ ଡେକୋରେଟର, କାରିଗର, ଇଲେକ୍ଟ୍ରିସିଆନ୍, ଆଲୋକ ଓ ସାଉଣ୍ଡ୍ ବ୍ୟବସାୟୀ, ଖାଦ୍ୟ ବିକ୍ରେତା ଓ ଛୋଟ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟିକ ସୁଯୋଗ ବୃଦ୍ଧି ପାଉଥିବା ଆୟୋଜକମାନେ କହିଛନ୍ତି।

କୃଷ୍ଣ ମୁନ୍ଦ୍ରା ଝାରସୁଗୁଡ଼ାର ନାଗରିକ, ସାମାଜିକ ସଂଗଠନ ଓ ବିଭିନ୍ନ ଅନୁଷ୍ଠାନକୁ ଏହି ପଦକ୍ଷେପକୁ ସମର୍ଥନ କରିବା ସହ ଏହାକୁ ପ୍ରତିବର୍ଷର ଏକ ପ୍ରମୁଖ ଉତ୍ସବରେ ପରିଣତ କରିବା ପାଇଁ ସହଯୋଗର ହାତ ବଢ଼ାଇବାକୁ ଆହ୍ୱାନ ଜଣାଇଛନ୍ତି।

“ଆମ ପଣ୍ଡାଲ, ଆମ ଗର୍ବ-ଆୱାର ପାଣ୍ଡେଲ ଆୱାର ପ୍ରାଇଡ଼୍” ବାର୍ତା ସହ ଜେପିଏସି ଝାରସୁଗୁଡ଼ାବାସୀଙ୍କୁ ନିଜ ପସନ୍ଦର ପୂଜା କମିଟିକୁ ଭୋଟ୍ ଦେଇ ସମର୍ଥନ କରିବାକୁ ଆହ୍ୱାନ କରିଛି।

ଝାରସୁଗୁଡ଼ାର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରିତେଶ ଶର୍ମା, ସିଦ୍ଧାର୍ଥ ଅବସ୍ଥୀ, କୃଷ୍ଣ ମୁନ୍ଦ୍ରା, ସଞ୍ଜୟ ଲୋଧା, ସନ୍ଦୀପ ଅବସ୍ଥୀ ଓ ମୁକେଶ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande