
ଝାରସୁଗୁଡ଼ା, ୨୧ ସେପ୍ଟେମ୍ବର (ହି.ସ.) - ନିଶା କାରବାର ବିରୋଧରେ ଝାରସୁଗୁଡ଼ା ପୁଲିସର ‘ଦମନ’ ଅଭିଯାନ ଜାରି ରହିଥିବା ବେଳେ ଲଖନପୁର ପୁଲିସକୁ ମିଳିଛି ଆଉ ଏକ ସଫଳତା। ବନ୍ଧବାହାଲ- ଫାଣ୍ଡି ରାସ୍ତାର ଜମୁନା ଛକ ନିକଟରେ ଯାନବାହନ ଯାଂଚ ସମୟରେ ୩.୦୯ କେଜି ଗଞ୍ଜେଇ ଜବତ କରାଯିବା ସହ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ୨୧ ତାରିଖରେ ବିଶ୍ୱସନୀୟ ସୂଚନା ଆଧାରରେ ଜମୁନା ଛକ ନିକଟରେ ପାଟ୍ରୋଲିଂ ଓ ଯାନବାହନ ଯାଂଚ ଚାଲିଥିଲା। ଏହି ସମୟରେ ଏକ ମୋଟରସାଇକେଲରେ ଏୟାରବ୍ୟାଗ ନେଇ ଯାଉଥିବା ବାବୁଲୁ ଓରଫ ଟୁକାରାମ ଭୋଇ ଓରଫ ଭୋଏ (୪୩)ଙ୍କୁ ପୁଲିସ ଅଟକାଇ ଯାଂଚ କରିଥିଲା। ଏୟାରବ୍ୟାଗ୍ ଭିତରୁ ୩.୦୯ କେଜି ଗଞ୍ଜେଇ ମିଳିଥିଲା।
ଗିରଫ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ସଙ୍କର୍ମା ଗ୍ରାମର ସନ୍ତୋଷ ଭୋଇ ଓରଫ ଭୋଏଙ୍କ ପୁଅ। ପୁଲିସ ତାଙ୍କ ନିକଟରୁ ଗଞ୍ଜେଇ ସହ ଏକ କଳା ରଙ୍ଗର ଏୟାରବ୍ୟାଗ, ହୋଣ୍ଡା ଏସ୍ପି ୧୨୫ ମୋଟରସାଇକେଲ୍, ଓପୋ ଇ୧୭ ମୋବାଇଲ୍ ଫୋନ୍ ଓ ଆଧାର କାର୍ଡ ଜବତ କରିଛି।
ଲଖନପୁର ଥାନା ଏସ୍ଆଇ ସସ୍ମିତା ଖୁଂଟିଆଙ୍କ ନେତୃତ୍ୱରେ ପୁଲିସ ଟିମ୍ ଏହି ଚଢ଼ଉ କରିଥିଲା। ଏନେଇ ଲଖନପୁର ଥାନାରେ କେସ୍ ନଂ-୨୬୨/୨୧.୦୯.୨୦୨୬ରେ ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ଆଇଆଇ)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।
ଜବତ ଗଞ୍ଜେଇର ଉତ୍ସ ଏବଂ ଏହା ସହ ଜଡ଼ିତ ଅନ୍ୟମାନଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି। ନିଶା କାରବାର ବିରୋଧରେ ‘ଦମନ’ ଅଭିଯାନ ଅଧୀନରେ ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ଝାରସୁଗୁଡ଼ା ପୁଲିସ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ