
ଭୁବନେଶ୍ୱର,୨୧ ସେପ୍ଟେମ୍ବର (ହି.ସ)- ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ସାରା ଓଡ଼ିଶାର ହଜାର ହଜାର ଗାଁସାଥୀ (ମେଟ୍) ସଂଘ ନିଜର ହକ୍ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ବ୍ଲକ କ୍ୟାଡର ସହିତ ମାସିକ ୧୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଦରମା, ସାମାଜିକ ସୁରକ୍ଷା, ଜି.ଆର.ଏସ୍.କୁ ପଦୋନ୍ନତି, ଦରମା ପ୍ରଦାନ ଯାଏ କାର୍ଯ୍ୟାଦେଶ ପ୍ରଦାନ, ବ୍ଲକ କ୍ୟାଡର ଘୋଷଣା ସହିତ ଦରମା ପ୍ରଦାନ ଯାଏ ସମସ୍ତ ଲିଗାଲ୍ ଗାଁସାଥୀ (ମେଟ୍)ଙ୍କୁ ଭିବିଜୀ-ରାମଜୀ ଯୋଜନାରେ ବିଧିବଦ୍ଧ ‘ମେଟ୍’ ଭାବେ ସରକାରୀ ଘୋଷଣା ଆଦି ବିଭିନ୍ନ ଦାବିରେ ମାଷ୍ଟରକ୍ୟାଂଟିନ୍ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ବାରିକେଟ୍ ଯାଏଁ ଯାଇଥିଲେ । ରାସ୍ତାର ଦୁଇ ପାଶ୍ୱର୍ରେ ଏକ ସ୍ୱତନ୍ତ୍ର ମାନବ ଶୃଙ୍ଖଳ ସହିତ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ଜ୍ୱଳନ, ରାସ୍ତା ସଫେଇ ଓ ମହିଳା ସଭ୍ୟାମାନଙ୍କର ଦଣ୍ଡବତ ପ୍ରଣାମ ସହ ନିଜର ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଏମାନେ ଲିଖିତ ଭାବେ ଦାବି ଜଣାଇଛନ୍ତି । ଦାବି ପୂରଣ ନ ହେବା ଯାଏଁ ଉକ୍ତ ଆନ୍ଦୋଳନ ଜାରି ରହିବ ବୋଲି ଉକ୍ତ ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ଠାକୁର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା