
ଭବାନୀପାଟଣା, ୨୧ ସେପ୍ଟେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଆଜି କୋକସରା ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଯୁଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତାରା ଜସ୍ମିନ୍ ଗୁଡ଼ିଆଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଉପ ନିର୍ଦ୍ଦେଶକ ଯୋଜନା ଏବଂ ସ୍ଵମନ୍ନୟ ଶ୍ରୀକାନ୍ତ ଦଳେଇ, ସି ଡି ଏମ ଓ ଡା. ହରେକୃଷ୍ଣ ଶତପଥୀ, ଗୋଷ୍ଠୀ ଉନ୍ନୟନ ଅଧିକାରି ଡଃ. ହିମାଞ୍ଚଳ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ।
ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୩୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୨ଟି ସାମୂହିକ ଅଭିଯୋଗ ରହିଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୪ଟି ଅଭିଯୋଗର ତତ୍କାଳ ସମାଧାନ ଘଟଣାସ୍ଥଳରେ କରାଯାଇଥିଲା। ୧ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଚିକିତ୍ସା ବାବଦ ସହାୟତା ପ୍ରଦାନ କରାଗଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯୋଗଗୁଡ଼ିକର ତ୍ୱରିତ, ନ୍ୟାୟସଙ୍ଗତ ଓ ଗୁଣାତ୍ମକ ଫଇସଲା କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସାମାଜିକ ସୁରକ୍ଷା ବିଭାଗ ତରଫରୁ ୨ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ