ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ
Launch of the Third Senior Citizen Pilgrimage Scheme
ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ


ଝାରସୁଗୁଡ଼ା, ୨୧ ସେପ୍ଟେମ୍ବର (ହି.ସ.) - ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଝାରସୁଗୁଡ଼ା ଜିଲ୍ଲାର ୫୦ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାର ଶୁଭାରମ୍ଭ ଆଜି ଜିଲ୍ଲା ସଂସ୍କୃତି ଭବନ ସମ୍ମୁଖରୁ ହୋଇଯାଇଛି। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତୁଳାବତୀ ମିଞ୍ଜ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ନୱଲ ଅଗ୍ରୱାଲ, ସାଂସଦଙ୍କ ପ୍ରତିନିଧି ଶ୍ଳୋକ ସର୍ଣ୍ଣା, ବିଧାୟକଙ୍କ ପ୍ରତିନିଧି ପ୍ରେମସେନ ରାୟ, ନେତାଜୀ ପଟ୍ଟନାୟକ, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ଯୋଗଦେଇ ବରିଷ୍ଠ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଯାତ୍ରାର ସଫଳତା କାମନା କରିଥିଲେ। ଏଥିସହ ଅତିଥିବୃନ୍ଦ ଶୁଭ ନାରିକେଳ ଭାଙ୍ଗିବା ସହ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ।

ସୂଚନା ଯୋଗ୍ୟ ଯେ, ଜିଲ୍ଲାର ବିଭିନ୍ନ ଅଂଚଳରୁ ଚୟନ ହୋଇଥିବା ୫୦ ଜଣ ବରିଷ୍ଠ ନାଗରିକ ଦୁଇଟି ବସ୍ ଯୋଗେ ଯାତ୍ରା କରିଛନ୍ତି। ଲଇକେରା ବ୍ଲକର ସାମାଜିକ ସୁରକ୍ଷା ବିଭାଗର କନିଷ୍ଠ ସହାୟକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ ଓ ଅଜିତ କୁମାର ସାହୁ ଏସ୍କର୍ଟ ଅଫିସର ଭାବେ ତୀର୍ଥଯାତ୍ରୀମାନଙ୍କ ସହ ଯାଇ ସେମାନଙ୍କୁ ସମ୍ବଲପୁର ରେଳ ଷ୍ଟେସନରେ ପହଂଚାଇବେ। ସେଠାରୁ ଆସନ୍ତାକାଲି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ତୀର୍ଥଯାତ୍ରୀମାନେ ଅଯୋଧ୍ୟା ଓ ବାରାଣସୀ ତୀର୍ଥସ୍ଥଳୀ ପରିଦର୍ଶନ କରିବେ। ତୀର୍ଥଯାତ୍ରା ସମାପ୍ତ କରି ସେମାନେ ତା. ୨୭.୦୯.୨୦୨୬ ରିଖରେ ଝାରସୁଗୁଡ଼ାରେ ପହଂଚିବେ।

ତୀର୍ଥଯାତ୍ରୀମାନେ ଆଜି ସକାଳ ୯ଟାରେ ଜିଲ୍ଲା ସଂସ୍କୃତି ଭବନଠାରେ ପହଂଚିଥିଲେ। ପରେ ସେଠାରେ ଉପସ୍ଥିତ ଏକ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ପହଂଚି ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୋମେଶ ଆଚାର୍ଯ୍ୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ଏବଂ ସହକାରୀ ଜିଲ୍ଲାପାଳ ବିଶ୍ୱଜିତ ରାଉତ ପରିଚାଳନା କରିଥିଲେ। କନିଷ୍ଠ ସହାୟକ ଆଲିସ ପଟେଲ, ରାଜେଶ ସେଠ, ଧୀରଜ ରୋଶନ ପ୍ରଧାନ, ମୌସୁମ ପଟେଲ, ରବୀନ୍ଦ୍ର ନିଆଲ, ସମୀର କିସାନ, କିଙ୍କନ ନାଏକ ଓ ଗୁରୁଚରଣ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ଯୁବ ସାମ୍ବାଦିକ ପ୍ରୀତମ ପଣ୍ଡା ଓ ନିରଞ୍ଜନ ମାଳି, ଅଭିରାମ ଶତପଥୀ ତୀର୍ଥଯାତ୍ରୀମାନଙ୍କୁ ଯାତ୍ରା ସମ୍ପର୍କିତ ବିଭିନ୍ନ ଧାରଣା ଓ ଆବଶ୍ୟକ ସୂଚନା ପ୍ରଦାନ କରିବା ସହ ସେମାନଙ୍କ ତୀର୍ଥଯାତ୍ରାର ସଫଳତା କାମନା କରିଥିଲେ। ଏହି ଅବସରରେ ଅତାବିରାର ପବିତ୍ରା ବିଶ୍ୱାଳ, ଅମାପାଲିର ମଉଜି ଦେହେରୀ, ସିଙ୍ଗେଇପାଲିର ସୁବାଷ ଚନ୍ଦ୍ର ସାହୁ ଭଜନ ପରିବେଷଣ କରିଥିବା ବେଳେ ସମସ୍ତ ବରିଷ୍ଠ ତୀର୍ଥଯାତ୍ରୀ ନିଜ ନିଜର ଖୁସି ଅନୁଭୂତି ବଖାଣି ଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande