
ପୁରୀ, ୨୧ ସେପ୍ଟେମ୍ବର (ହି.ସ.)- ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭୁବନେଶ୍ୱରର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ଜୁଇ ଜଳିଛି ପୁରୀ ସ୍ୱର୍ଗଦ୍ୱାରରେ । ସୋମବାର ଭୋର୍ ରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୃତ ଭଉଣୀ ରୀତାରାଣୀ ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଓ ତାଙ୍କ ପୁଅ ସମେତ ରାଧାରାଣୀଙ୍କୁ ମୁଖାଗ୍ନି ଦେଇଛନ୍ତି ଭାଇ ଦିଲ୍ଲୀପ ବେହେରା । ଶିବପ୍ରସାଦ ବେହେରା ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ବେହେରା ମୁଖାଗ୍ନି ଦେଇଛନ୍ତି ।
ମୃତକ ୭ ଜଣଙ୍କ ପାର୍ଥିବ ଶରୀର ସୋମବାର ରାତିରେ ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଅଣାଯାଇଥିଲା । ପରେ ଶେଷକୃତ୍ୟ ପାଇଁ ମୃତଦେହ ଗୁଡିକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ଦାହ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇଥିଲେ । ତେବେ ଏଭଳି ଦୁଃଖଦ ଘଟଣା ପାଇଁ ମଧ୍ୟପ୍ରଦେଶ ଆଗର ମାଲୱା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ମୃତକ ଶିବଙ୍କ ଭାଇ ସର୍ବେଶ୍ୱର ବେହେରା । ସୂଚନା ଫଳକ ଓ ବ୍ୟାରିକେଡ଼ିଂ ବ୍ୟବସ୍ଥା ନଥିବା ଯୋଗୁ ଦୁର୍ଘଟଣା ଘଟିଲା ବୋଲି ସେ ଅଭିଯୋଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ