
ଝାରସୁଗୁଡ଼ା, ୨୧ ସେପ୍ଟେମ୍ବର (ହି.ସ.)-ବ୍ରଜରାଜନଗର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ବ୍ରଜରାଜନଗର ପୌରପାଳିକା ନିର୍ବାହୀ ଅଧିକାରୀ ଚନ୍ଦ୍ରମଣୀ ସ୍ୱାଇଁ, ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଜନ ଶୁଣାଣି ଶିବିରରେ ସମୁଦାୟ ୩୩ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୪ଟି ଗୋଷ୍ଠୀଗତ ବା ସାମୂହିକ ସମସ୍ୟା ସମ୍ପର୍କିତ ହୋଇଥିବା ବେଳେ ୧୯ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ତନ୍ମଧ୍ୟରୁ ୨ଟି ସମସ୍ୟାର ଘଟଣାସ୍ଥଳରେ ତୁରନ୍ତ ସମାଧାନ କରାଯାଇଥିଲା। ଶିବିରରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମିଜମା ବିବାଦ, ଘରବାରି ପଟ୍ଟା ପ୍ରଦାନ, ଜବରଦଖଲ ଉଚ୍ଛେଦ, ଡ୍ରେନେଜ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ ଓ ମରାମତି, ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ତଥା ବିସ୍ଥାପନ ଜନିତ ସମସ୍ୟା ଉପରେ ଦରଖାସ୍ତ ଦାଖଲ ହୋଇଥିଲା। ବାକି ରହିଥିବା ସମସ୍ତ ଅଭିଯୋଗଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ