

ସମ୍ବଲପୁର, ୨୧ ସେପ୍ଟେମ୍ବର(ହି.ସ.) – ଭାରତ ସରକାରଙ୍କ ନିର୍ବାଚନ ଆୟୋଗଙ୍କ ସ୍ପେଶାଲ୍ ଇଂଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାର ୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ପ୍ରକାଶିତ ହୋଇଛି। ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ସମ୍ବଲପୁର ଜିଲ୍ଲାର ମୋଟ ଭୋଟର ସଂଖ୍ୟା ୭ ଲକ୍ଷ ୯୪ ହଜାର ୨୬୬ ରହିଥିବା ସୂଚୀତ କରାଯାଇଛି। ୨୦୨୬ ଜୁଲାଇ ୦୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧରି ଏହି ପୁନଃସମୀକ୍ଷା ପ୍ରକ୍ରିୟା କରାଯାଇଛି। ଏଥିପାଇଁ ଚଳିତ ବର୍ଷ ମେ’ ୫ ତାରିଖ ଠାରୁ ବୁଥ୍ ଲେଭେଲ୍ ଅଫିସରମାନଙ୍କ ଦ୍ୱାରା ଘରକୁ ଘର ସର୍ଭେ ଆରମ୍ଭ ହୋଇଥିଲା। ଜିଲ୍ଲାରେ ମୋଟ ୮ ଲକ୍ଷ ୪୪ ହଜାର ୭୪୧ ଜଣ ଭୋଟରଙ୍କ ସର୍ଭେ କରାଯାଇଥିବା ବେଳେ ମୃତ୍ୟୁ ଓ ସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା କାରଣରୁ ୫୬ ହଜାର ୭୧୬ ଜଣଙ୍କୁ ଅଯୋଗ୍ୟ ବୋଲି ଚିହ୍ନଟ କରାଯାଇଥିଲା। ୨୦୨୬ ଜୁଲାଇ ୫ ତାରିଖରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ସମ୍ବଲପୁର ଜିଲ୍ଲାର ମୋଟ ଭୋଟର ସଂଖ୍ୟା ୭ ଲକ୍ଷ ୮୮ ହଜାର ୦୨୫ ଥିଲା। ଏହାପରେ ଜୁଲାଇ ୫ ତାରିଖରୁ ଅଗଷ୍ଟ ମାସ ୧୯ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତି ଗ୍ରହଣ କରାଯାଇଥିଲା। ଏହି ସମୟ ମଧ୍ୟରେ ୬ ହଜାର ୨୪୧ ଜଣ ନୂତନ ଓ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ତାଲିକାରେ ସାମିଲ କରାଯାଇଛି। ଫଳସ୍ୱରୂପ ଆଜି ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାରେ ସମ୍ବଲପୁର ଜିଲ୍ଲାର ମୋଟ ଭୋଟର ସଂଖ୍ୟା ୭ ଲକ୍ଷ ୯୪ ହଜାର ୨୬୬ ରହିଛି। ନିର୍ବାଚନ ଅଧିକାରୀଙ୍କ କୌଣସି ନିଷ୍ପତି ବିରୋଧରେ ଚୂଡ଼ାନ୍ତ ପ୍ରକାଶନ ତାରିଖଠାରୁ ୧୫ ଦିନ ମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିକଟରେ ପ୍ରଥମ ଅପିଲ୍ ମଧ୍ୟ କରାଯାଇ ପାରିବ। ପ୍ରଥମ ଅପିଲ ଟି ଅଥରିଟିଙ୍କ ନିଷ୍ପତି ବିରୋଧରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ୩୦ ଦିନ ମଧ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରାଯାଇ ପାରିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀଣୀଙ୍କ ଠାରୁ ପ୍ରକାଶ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ