
ଗଞ୍ଜାମ, ୨୧ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିମାର୍ଗ ପୋଖରୀ ନିକଟରେ ଘଟିଥିବା ଅଜ୍ଞାତ ଆକ୍ରମଣ ଘଟଣାର ପର୍ଦାଫାସ କରି ପୋଲିସ ୨ ଜଣ ନାବାଳକଙ୍କୁ ଅଟକ ରଖିଛି। ଏହି ଘଟଣା ପରେ ହତ୍ୟା ମାମଲାରେ ପରିଣତ ହୋଇଥିଲା।
ଗତ ୧୪.୦୯.୨୦୨୬ ସନ୍ଧ୍ୟାରେ ୧୮ ବର୍ଷୀୟ ଯୁବକ ଶାନ୍ତିମାର୍ଗ ପୋଖରୀ ନିକଟରେ ଆହତ ଓ ଅଚେତ ଅବସ୍ଥାରେ ପଡିଥିବା ବେଳେ ପୋଲିସ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲା। ୧୯.୦୯.୨୦୨୬ ରାତି ୧୦ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ବଡ଼ବଜାର ଥାନା କେସ ନଂ ୬୯୩/୨୦୨୬ ରୁଜୁ ହୋଇଥିଲା। ସାମାନ୍ୟ କଥା କଟାକଟିରୁ ଘଟଣା। ଯୁବକ ଜଣକ ଧୂମପାନ ପାଇଁ ଦିଆସିଲି ମାଗିଥିଲେ, ନ ମିଳିବାରୁ ଗାଳିଗୁଲଜ ଓ ଧକ୍କାଧକ୍କି ହୋଇ ମାଡ଼ ମାରାମାରି ହୋଇଥିଲା। ନାବାଳକମାନେ ମୁଷ୍ଟି ଓ ଲାତ ମାରିବାରୁ ଯୁବକ ଅଚେତ ହୋଇ ପଡିଯାଇଥିଲେ। ପୋଲିସ ତଦନ୍ତରୁ ଜଣାପଡିଛି ମୃତ ଯୁବକ ୱିନସନ୍ସ ଡିଜିଜ ନାମକ ବିରଳ ଜେନେଟିକ ରୋଗରେ ପୀଡିତ ଥିଲେ, ଯାହା ଯକୃତକୁ କ୍ଷତି ପହଞ୍ଚାଏ ଓ ରକ୍ତ ଜମାଟ ବାନ୍ଧିବାରେ ବାଧା ସୃଷ୍ଟି କରେ। ଆଘାତ ପରେ ଅଧିକ ରକ୍ତସ୍ରାବ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଜଣେ ନାବାଳକକୁ ୧୭.୦୯.୨୦୨୬ ରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଯାଇଥିବା ବେଳେ ଦ୍ୱିତୀୟ ଜଣଙ୍କୁ ଆଜି ହାଜର କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ