ତ୍ରିନାଥ ଫାଉଣ୍ଡେସନର ସୁବର୍ଣ୍ଣ ଜୟନ୍ତୀ
ଗଂଜାମ, 21 ସେପ୍ଟେମ୍ବର (ହି.ସ.) ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିକୁ ନେଇ ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳକୁ ପରିପୁଷ୍ଟ ଓ ପ୍ରଭାଦୀପ୍ତ କରି ଆସିଥିବା ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧି ସର୍ବଜନ ବିଦିତ l କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ ଗୋପାଳକୃଷ୍ଣ ପଟ୍ଟନାୟ
Qertyuu


ଗଂଜାମ, 21 ସେପ୍ଟେମ୍ବର (ହି.ସ.) ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିକୁ ନେଇ ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳକୁ ପରିପୁଷ୍ଟ ଓ ପ୍ରଭାଦୀପ୍ତ କରି ଆସିଥିବା ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧି ସର୍ବଜନ ବିଦିତ l କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମେତ ବହୁ ସ୍ୱନାମଧନ୍ୟ କାବ୍ୟସ୍ରଷ୍ଟାଙ୍କ ସାରସ୍ୱତ କୃତି ସମୂହ ଓଡ଼ିଆ ଭାଷା-ସାହିତ୍ୟକୁ ଯେତିକି ଉଦ୍ଭାସିତ କରିଛି, ସେହିପରି କଳା ଓ ସଂସ୍କୃତି ମଧ୍ୟ ସମଧିକ ରସାଣିତ କରିଛି l ଓଡ଼ିଆ ଭାଷା-ସାହିତ୍ୟ ସମେତ ସମଗ୍ର ରାଜ୍ୟକୁ ସୁରକ୍ଷା ଦେବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ରାଜନ୍ୟ ବର୍ଗ ଓ ଜନସାଧାରଣଙ୍କ ଅବଦାନ ଅତୁଳନୀୟ ବୋଲି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଅସୀମା ସାହୁ ମତବ୍ୟକ୍ତ କରିଛନ୍ତି l

ତ୍ରିନାଥ ଫାଉଣ୍ଡେସନ୍ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦର ବାର୍ଷିକୋତ୍ସବ ଅବସରରେ ଆୟୋଜିତ ଉଦ୍ଘାଟନୀ ପର୍ବରେ ମୁଖ୍ୟଅତିଥି ରୂପେ ଯୋଗଦେଇ କୁଳପତି ପ୍ରଫେସର୍ ସାହୁ ଏହି ମର୍ମରେ ବକ୍ତବ୍ୟ ପ୍ରଦାନ କରିଥିଲେ l ପରିଷଦର ସଭାପତି ଡ. ହରିକୃଷ୍ଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଓ ବାଗ୍ମୀ ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଆଧୁନିକ ଓଡ଼ିଶା ଗଠନରେ ଗଞ୍ଜାମ ଜିଲ୍ଲାର ମହାର୍ଘ ଅବଦାନ ବିଷୟରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ l ଉଦ୍ଘାଟନୀ ପର୍ବରେ ବ୍ରହ୍ମପୁରର ପ୍ରାକ୍ତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଭଞ୍ଜନଗର କେ.ଏସ୍.ୟୁ.ବି. ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ନାଟ୍ୟକାର ଇଂ ଯାମିନୀକାନ୍ତ ଦାସ ଓ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ଡ. ସୁବ୍ରତ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ମାର୍ଗଦର୍ଶକ ଭୂମିକା ବିଷୟରେ ଆଲୋକପାତ କରିଥିଲେ l ସଂପାଦକ ଡ. ବନମାଳୀ ପାଣିଗ୍ରାହୀ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ଉପସ୍ଥାପନ ପୂର୍ବକ ଉତ୍ସବର ସଂଯୋଜନା କରିଥିଲେ l ତ୍ରିନାଥ ଫାଉଣ୍ଡେସନ୍ ପ୍ରତିଷ୍ଠାତା ତ୍ରିନାଥ ନାୟକ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ସରୋଜକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ l

ଆଜି ପୂର୍ବାହ୍ଣରେ ସ୍ଥାନୀୟ ଇଂଜିନିୟରିଂ ସ୍କୁଲ୍ ପଣ୍ଡା କଲୋନୀ ସ୍ଥିତ ଭାରତ ବିକାଶ ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ ସମାରୋହର ଦ୍ଵିତୀୟ ଅଧିବେଶନରେ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ସଭାପତିତ୍ବ କରିଥିଲେ l 'ଭଞ୍ଜ ସାହିତ୍ୟରେ ପ୍ରକୃତି' ଶୀର୍ଷକ ଆଲୋଚନା ଚକ୍ରରେ ମଧ୍ୟକାଳୀନ ସାହିତ୍ୟର ବିଶିଷ୍ଟ ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ ଓ ଡ. ହରିକୃଷ୍ଣ ନାୟକ ଆଲୋଚକ ରୂପେ ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତିରେ ବର୍ଣ୍ଣିତ ପ୍ରକୃତିର ସ୍ୱରୂପ ସମ୍ବନ୍ଧରେ ଆଲୋଚନା କରିଥିଲେ l

ତୃତୀୟ ଅଧିବେଶନରେ ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ପୌରୋହିତ୍ୟ କରିଥିଲେ l 'ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗଞ୍ଜାମର ଭୂମିକା' ଶୀର୍ଷକ ଏହି ଆଲୋଚନା ଚକ୍ରରେ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଭାଷାବିଜ୍ଞାନ ଓ ପ୍ରାକୃତିକ ଭାଷା ସଂସାଧନ ବିଭାଗ ପରିଦର୍ଶୀ ସହକାରୀ ପ୍ରଫେସର୍ ଡ. କୁଳମଣି ଓଝା ମୁଖ୍ୟବକ୍ତା ରୂପେ ଯୋଗଦେଇ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଅବିଭାଜ୍ୟ ଗଞ୍ଜାମ ଜିଲ୍ଲାର ନେତୃସ୍ଥାନୀୟ ଭୂମିକା ପ୍ରସଙ୍ଗ ଉଲ୍ଲେଖ ପୂର୍ବକ ଏହି ଜିଲ୍ଲାର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ସଂପର୍କରେ ମୌଳିକ ଗବେଷଣା ହେବା ସହ ଇତିହାସର ପୁନର୍ଲିଖନ ଆବଶ୍ୟକ ବୋଲି କହିଥିଲେ l ଏହି ଅଧିବେଶନରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ଡ. ସୁବ୍ରତ କୁମାର ପୃଷ୍ଟି, ଛତ୍ରପୁର ସାହିତ୍ୟ ସଂସଦ ସଭାପତି ବ୍ରଜମୋହନ ଆଚାର୍ଯ୍ୟ, ସଂପାଦକ ଦିଲୀପ କୁମାର ପଲାଇ, ତପନଜ୍ୟୋତି ପଣ୍ଡା, ଶ୍ୟାମସୁନ୍ଦର ଖାଡ଼ଙ୍ଗା ପ୍ରମୁଖ ସମ୍ମାନିତ ଆଲୋଚକ ରୂପେ ଗଞ୍ଜାମର ଭୂମିକା ସଂପର୍କରେ ଚର୍ଚ୍ଚା କରିଥିଲେ l ପରିଷଦର ସଂପାଦକ ଡ. ବନମାଳୀ ପାଣିଗ୍ରାହୀ ସମସ୍ତ ଅଧିବେଶନର ସଂଯୋଜନା କରିଥିଲେ l ଶେଷରେ କପିଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବରେ କବୟିତ୍ରୀ ଅଞ୍ଜଳି ଦାଶ, କବି ଓ କଥାଶିଳ୍ପୀ ଭାଗ୍ୟଲକ୍ଷ୍ମୀ ମହାରଣା, ସାହିତ୍ୟିକ ସରୋଜକାନ୍ତ ରଥ, କବୟିତ୍ରୀ ପଦ୍ମିନୀ ସାହୁ, ସାଂସ୍କୃତିକ ସଂଗଠକ ଦିନବନ୍ଧୁ ଶ୍ରୀପଲ୍ଲବଙ୍କୁ ଫୁଲଗଛ ଚାରା, ଉପଢୌକନ ଓ ପ୍ରଶସ୍ତିପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମାରୋହରେ ଗଞ୍ଜାମ ଜିଲ୍ଲାର ବହୁ ସାହିତ୍ୟିକ ଓ ସାହିତ୍ୟାନୁରାଗୀ ଯୋଗ ଦେଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande