
କମିଟିର ସୁପାରିଶକୁ ଉପଯୁକ୍ତ ବିଚାର କରାଯାଇ ନିଷ୍ପତି ନିଆଯିବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ ସେପ୍ଟେମ୍ବର (ହି.ସ)- ଲୋକସେବା ଭବନରେ ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ କମିଟି ଏହାର ରିପୋର୍ଟ ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ୨୦୨୫ ଡିସେମ୍ବର ୬ ତାରିଖରେ ଗଠିତ ହୋଇଥିଲା ଏବଂ ୨୦୨୬ ଫେବୃଆରୀ ୩ ତାରିଖରେ ପୁର୍ନଗଠିତ ହୋଇଥିଲା । ଆଜି ଏହି କମିଟି ତା’ର ରିପୋର୍ଟ ପ୍ରଦାନ କରିଛି । ଏହି ସୁପାରିଶ ଗୁଡ଼ିକ ଉପରେ ଅନୁଧ୍ୟାନ କରାଯାଇ ଉପଯୁକ୍ତ ନିଷ୍ପତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବୈଠକର ସୂଚନା ଅନୁଯାୟୀ ଏହି କମିଟି ନିକଟରେ ରାଜ୍ୟର ବିଭିନ୍ନ ବର୍ଗର ଶିକ୍ଷକମାନଙ୍କର ୧୦୪ଟି ସଂଘ କମିଟିକୁ ଭେଟିଛନ୍ତି । କମିଟି ଏହି ଦାବୀ ସମ୍ପର୍କରେ ୯୦ଟି ବୈଠକ ଅନୁଷ୍ଠିତ କରିଛନ୍ତି ଏବଂ ସରକାରଙ୍କୁ ୭୯ଟି ରିପୋର୍ଟ ପ୍ରଦାନ କରିଛନ୍ତି।
ବୈଠକରେ କମିଟିର ବିଭିନ୍ନ ସୁପାରିଶ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ଅଶୋକ ତ୍ରିପାଠୀ ଏବଂ ସହ-ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ନାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ ।
ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।
କମିଟିର ଅନ୍ୟ ସଦସ୍ୟ ଶ୍ରୀ ଶାନ୍ତନୁ କୁମାର ସାହୁ, ଶ୍ରୀ ମନୋରଞ୍ଜନ ମିଶ୍ର ଏବଂ ସଂଯୋଜକ ସଦସ୍ୟ ଶ୍ରୀ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା