




ସମ୍ବଲପୁର, ୨୨ ସେପ୍ଟେମ୍ବର (ହି.ସ.)- ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଏନ୍ଏଚ୍ ୫୩ ବାଇପାସ୍ ଛକ ନିକଟରେ ମଙ୍ଗଳବାର ଭୋର ୫ଟା ବେଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଓଡି ୦୯ ଏମ୍ ୯୦୬୮ ନମ୍ବରର ଟ୍ରକ୍ ପଛପଟୁ ଦୃତଗାମୀ ଓଡି ୧୭ ଏଇ ୮୧୫୩ ନମ୍ବରର ଦୁଲ୍ଦୁଲି ଡିଜେ ଗାଡ଼ି ଧକ୍କା ଦେଇଥିଲା । ଫଳରେ ଡିଜେ ଗାଡ଼ିର ଜଣେ ବାଦ୍ୟ କଳାକାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇ ରାସ୍ତାରେ ଛିଟିକି ପଡ଼ିଥିଲେ । ମୃତ ବାଦ୍ୟ କଳାକାରଙ୍କ ପରିଚୟ ଅନୁସନ୍ଧାନରୁ ଜଣାପଡିଛି ଯେ' ସେ ବରଗଡ଼ ଅଞ୍ଚଳର ଓ ତାଙ୍କ ନାମ ଅଭି ସାମନି । ଦୁର୍ଘଟଣା ଖବର ପାଇବା ପରେ ତୁରନ୍ତ ଜମନକିରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଓ ଘଟଣାର ତଦନ୍ତ କରିଥିଲା ।
ପୋଲିସ ସୂଚନା ମୁତାବକ, ଓଡି ୧୭ ଏଇ ୮୧୫୩ ନମ୍ବର ଦୁଲ୍ଦୁଲି ଡିଜେ ଗାଡ଼ିରେ ପ୍ରାୟ ୧୦ ଜଣ ବାଦ୍ୟ କଳାକାର କେନ୍ଦୁଝରରୁ ସମ୍ବଲପୁର ଅଭିମୁଖେ ଫେରୁଥିଲେ । ଜମନକିରା ବାଇପାସ୍ ଛକ ରାସ୍ତା ପାର୍ଶ୍ୱରେ ପାର୍କିଂ କରିଥିବା ଓଡି ୦୯ ଏମ୍ ୯୦୬୮ ନମ୍ବର ଟ୍ରକ୍ ଟି ପାର୍କିଂର କୌଣସି ସଙ୍କେତ ଦେଇନଥିଲା । ଯାହାଫଳରେ ଦୃତ ଗତିରେ ସମ୍ବଲପୁର ଅଭିମୁଖେ ଫେରୁଥିବା ଡିଜେ ଗାଡିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଏହି ଧକ୍କାରେ ଡିଜେ ଗାଡ଼ିର ପଛ ଓ ସମ୍ମୁଖ ଭାଗ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ସମୟରେ ଭୟଙ୍କର ଶବ୍ଦ ସ୍ଥାନୀୟ ଅଞ୍ଚଳରେ ଅଜଣା ଆତଙ୍କ ସୃଷ୍ଟି କରିଥିଲା। ଖବର ପାଇ ଜମନକିରା ଥାନା ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବରଗଡର ଅଭି ସାମନିଙ୍କୁ ପୋଲିସ କୁଚିଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ଗୁରୁତର ଥିବା ୩ ଜଣଙ୍କୁ ବୁର୍ଲା ଭିମସାର ଓ ଅନ୍ୟ ଆହତ ମାନଙ୍କୁ ଜମନକିରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା । ଏସମ୍ପର୍କରେ ଜମନକିରା ଥାନାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ସରଜମିନ ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ