
ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)- ମହାନଦୀ ବେସିନ୍ର
ଗଭୀର ସମୁଦ୍ର ଜଳରେ ଗ୍ୟାସ ଆବିଷ୍କାର ପାଇଁ ଓଏନଜସିକୁ ଅଭିନନ୍ଦନ ଜଣାଇଛନ୍ତି ଦୁଇ
ଉପମୁଖ୍ୟମନ୍ତ୍ରୀ , ମନ୍ତ୍ରୀ ଓ ବିରୋଧୀ ଦଳ ନେତା ।
ଏକ୍ସ ହ୍ୟାଣ୍ଡେଲରେ ଏକ
ବାର୍ତ୍ତା ଜାରି କରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଯେ, ମହାନଦୀ ବେସିନ୍ର ଗଭୀର
ସମୁଦ୍ର ଜଳରେ ପ୍ରାକୃତିକ ଗ୍ୟାସର ସମ୍ଭାବନାମୟ ସନ୍ଧାନ ପାଇଁ ଓଏନଜିସିକୁ ଅଭିନନ୍ଦନ। ଉତ୍ସାହଜନକ
ରିଜର୍ଭୋୟର ଚାପ ଓ ପ୍ରବାହ ଭାରତର ଉର୍ଜା ଭବିଷ୍ୟତରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ
ପୁନଃ ପ୍ରମାଣିତ କରିଛି। ଏହି ଉପଲବ୍ଧି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ‘ସମୁଦ୍ର ମନ୍ଥନ –
ନ୍ୟାସନାଲ୍ ଅଫ୍ଶୋର ଏକ୍ସପ୍ଲୋରେସନ୍ ସ୍କିମ୍’କୁ ଅନୁମୋଦନ ସହିତ ମଧ୍ୟ ସମ୍ପୃକ୍ତ। ସମ୍ମାନନୀୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏହି ଦୂରଦର୍ଶୀ ପଦକ୍ଷେପ ଅଧୀନରେ ୨୦୩୦-୩୧
ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୮୪,୦୮୪ କୋଟି ବ୍ୟୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଉର୍ଜା ସମ୍ପଦର
ସନ୍ଧାନ ଓ ଉନ୍ମୋଚନ କରାଯିବ। ଜାତୀୟ ଉର୍ଜା ସୁରକ୍ଷାକୁ ସୁଦୃଢ଼ କରିବା, ଅର୍ଥନୀତିକୁ
ଗତିଶୀଳ କରିବା ଏବଂ ଭାରତକୁ ଆତ୍ମନିର୍ଭରତା ଓ ସମୃଦ୍ଧିର ଦିଗରେ ଆଗେଇ ନେବା ପାଇଁ ଓଡ଼ିଶା
ଦୃଢ଼ ପ୍ରତିବଦ୍ଧ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, କୋଣାର୍କ ଉପକୂଳଠାରୁ
ପ୍ରାୟ ୪୩ କି.ମି. ଦୂରରେ ପ୍ରାକୃତିକ ଗ୍ୟାସ୍ ଆବିଷ୍କାର କରିଥିବାରୁ ଓଏନଜିସିକୁ ଅଭିନନ୍ଦନ।
ଏହି ସଫଳତା ଓଡ଼ିଶାର ଶକ୍ତି କ୍ଷେତ୍ରକୁ ନୂଆ ଗତି ଦେବା ସହ ଦେଶର ଶକ୍ତି ସୁରକ୍ଷା ଓ ଅର୍ଥନୈତିକ
ବିକାଶକୁ ଆହୁରି ସୁଦୃଢ଼ କରିବ।
ଏକ୍ସ ହ୍ୟାଣ୍ଡେଲରେ ଏକ
ବାର୍ତ୍ତା ଜାରି କରି ଆଇନ ମନ୍ତ୍ରୀ କହିଛନ୍ତି ଯେ, ଭାରତର ଉର୍ଜା ସୁରକ୍ଷା କ୍ଷେତ୍ରରେ
ଯୁଗାନ୍ତକାରୀ ସଫଳତା ! ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦିଜୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଗ୍ରହଣ କରାଯାଇଥିବା 'ସମୁଦ୍ର
ମନ୍ଥନ' ଅଭିଯାନ
ଅଧୀନରେ ଓଏନଜିସିମହାନଦୀ ବେସିନ୍ର ଗଭୀର ସମୁଦ୍ରରୁ ପ୍ରଚୁର ଗ୍ୟାସ୍ ଆବିଷ୍କାର
କରିବାରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଐତିହାସିକ ଆବିଷ୍କାର ଦେଶୀୟ ଉର୍ଜା ଉତ୍ପାଦନକୁ
ନୂଆ ଗତି ଦେବା ସହ 'ଆତ୍ମନିର୍ଭର ଭାରତ'ର ସଂକଳ୍ପକୁ ଆହୁରି ମଜବୁତ୍ କରିବ। ମୋଦୀ ସରକାରଙ୍କ ପ୍ରଚେଷ୍ଟାରେ
ଆଜି ଭାରତ ଉର୍ଜା କ୍ଷେତ୍ରରେ ସ୍ୱାବଲମ୍ବୀ ଓ ସୁରକ୍ଷିତ ଭବିଷ୍ୟତ ଆଡ଼କୁ ଦ୍ରୁତ ଗତିରେ ଆଗେଇ
ଚାଲିଛି।
ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାନଦୀ ବେସିନ୍ର
ଗଭୀର ସମୁଦ୍ର ଜଳରେ ଗ୍ୟାସ ଆବିଷ୍କାର ପାଇଁ ଓଏନଜସିକୁ ଅଭିନନ୍ଦନ। ଆବିଷ୍କୃତ କୂପଗୁଡ଼ିକରୁ
ଉତ୍ସାହଜନକ ଗ୍ୟାସ ପ୍ରବାହ ଏବଂ ରିଜର୍ଭୋୟର ଚାପ ମିଳୁଥିବା ଜାଣି ଖୁସି ଲାଗୁଛି। ଓଡ଼ିଶା ଦେଶର
ଉର୍ଜା ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ସହ ଅର୍ଥନୀତିକୁ ଗତିଶୀଳ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା