
ଝାରସୁଗୁଡ଼ା, 23 ସେପ୍ଟେମ୍ବର (ହି.ସ.) : ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବ୍ରଜରାଜନଗର ପୌରାଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନ ସମୟରେ ବ୍ରଜରାଜନଗର ପୌରପାଳିକା ନିର୍ବାହୀ ଅଧିକାରିୀ ଚନ୍ଦ୍ରମଣି ସ୍ୱାଇଁଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ। ପରିଦର୍ଶନ କ୍ରମରେ ଜିଲ୍ଲାପାଳ ବ୍ରଜରାଜନଗର ସ୍ଥିତ ଗଣ୍ଡଘୋରା ସ୍ୱାସ୍ଥ୍ୟ ଉପକେନ୍ଦ୍ର ପହଞ୍ଚି ଭିତ୍ତିଭୂମି ଯାଞ୍ଚ କରିଥିଲେ। ଉପକେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତୁରନ୍ତ ସୁନିଶ୍ଚିତ କରିବା ପାଇଁ ସେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କୋଠାର ଆବଶ୍ୟକୀୟ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ କରିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଏହାପରେ ଜିଲ୍ଲାପାଳ ନିର୍ମାଣାଧୀନ ବୃଦ୍ଧାଶ୍ରମ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଆଗାମୀ ଦିନରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଅନ୍ତେବାସୀଙ୍କ କ୍ଷମତା ବୃଦ୍ଧି କରିବା ସହ ସେମାନଙ୍କୁ ସମସ୍ତ ମୌଳିକ ସୁବିଧାସୁଯୋଗ ଯୋଗାଇଦେବା ଦିଗରେ ସେ ବିସ୍ତୃତ ଆଲୋଚନା କରିଥିଲେ।ଏତଦ୍ବ୍ୟତୀତ ପୌରାଞ୍ଚଳରେ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ରାସ୍ତା ସମ୍ପ୍ରସାରଣରେ ବାଧା ସୃଷ୍ଟି କରୁଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଟିପିଡବ୍ଲୁଓଡିଏଲ ଦ୍ୱାରା ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ପୁରୁଣା ଅଦରକାରୀ କୋଠାକୁ ଭାଙ୍ଗି ହଟାଇବା ନେଇ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ କହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ