ଜିଲ୍ଲା ଶିଳ୍ପ କେନ୍ଦ୍ର ଜରିଆରେ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
Importance to local entrepreneur
ଜିଲ୍ଲା ଶିଳ୍ପ କେନ୍ଦ୍ର ଜରିଆରେ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସୁଦୃଢ଼


ଝାରସୁଗୁଡ଼ା, 23 ସେପ୍ଟେମ୍ବର (ହି.ସ.) : ଜିଲ୍ଲାରେ ସ୍ଥାନୀୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ବଜାର ସୁବିଧା ଯୋଗାଇବା, ଭେଣ୍ଡର ବିକାଶ କରିବା ଏବଂ ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ଏମ୍ଏସ୍ଏମ୍ଇ ଓ ବୃହତ ଶିଳ୍ପ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ ପ୍ଲାଟଫର୍ମ ' ଜେଏସଜି ସ୍ମାଇଲ ପୋର୍ଟାଲ' ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।

ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଚହ୍ବାଣ ପ୍ରକାଶ କରିଥିଲେ ଯେ, ଏହି ପୋର୍ଟାଲ ଜରିଆରେ ଜିଲ୍ଲା ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ କେବଳ ଏକ ଡିଜିଟାଲ୍ ପ୍ଲାଟଫର୍ମ ନିର୍ମାଣ କରିବା ନୁହେଁ, ବରଂ ବୃହତ ଶିଳ୍ପାନୁଷ୍ଠାନଗୁଡ଼ିକର ଆବଶ୍ୟକତା ଏବଂ ଝାରସୁଗୁଡାର ସ୍ଥାନୀୟ କ୍ଷୁଦ୍ର ଉଦ୍ୟୋଗୀ ତଥା ତୃଣମୂଳ ସ୍ତରରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉତ୍ପାଦନ କ୍ଷମତା ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରିବା। ଯେତେବେଳେ ଜିଲ୍ଲାର ବୃହତ ଶିଳ୍ପଗୁଡ଼ିକ ବାହାରୁ ସାମଗ୍ରୀ ନ ମଗାଇ ସ୍ଥାନୀୟ ସ୍ତରରୁ କ୍ରୟ କରିବେ, ସେତେବେଳେ ଆମର ଛୋଟ ଛୋଟ ଉଦ୍ୟୋଗୀ, କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ମଜଭୁତ କରିବା ସହ ତୃଣମୂଳ ସ୍ତରର ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସମସ୍ତ ବୃହତ ଶିଳ୍ପାନୁଷ୍ଠାନ ଆଗେଇ ଆସି ସ୍ଥାନୀୟ ଉତ୍ପାଦକୁ ପ୍ରାଥମିକତା ଦେବା ଅତ୍ୟନ୍ତ ଜରୁରୀ।

ଏଥିସହ ଏହି ପୋର୍ଟାଲ ଟି ବୃହତ ଶିଳ୍ପାନୁଷ୍ଠାନଗୁଡ଼ିକର ଆବଶ୍ୟକତା ଏବଂ ସ୍ଥାନୀୟ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଉତ୍ପାଦନ କ୍ଷମତା ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିବ। ବାହାର ଜିଲ୍ଲା ବା ରାଜ୍ୟ ଉପରେ ନିର୍ଭର ନକରି ବୃହତ ଶିଳ୍ପଗୁଡ଼ିକ ଯେପରି ସ୍ଥାନୀୟ ଏମ୍ଏସ୍ଏମ୍ଇମାନଙ୍କଠାରୁ ଆବଶ୍ୟକୀୟ ଇଞ୍ଜିନିୟରିଂ, ଫ୍ୟାବ୍ରିକେସନ୍, ମରାମତି, ବୈଦ୍ୟୁତିକ ଉପକରଣ, ପରିବହନ ଓ ପ୍ୟାକେଜିଂ ଭଳି ସାମଗ୍ରୀ ତଥା ସେବା ସଂଗ୍ରହ କରିପାରିବେ, ସେଥିପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ଉଭୟ ବୃହତ ଶିଳ୍ପ ଏବଂ ସ୍ଥାନୀୟ ଉଦ୍ୟୋଗ ଉପକୃତ ହେବା ସହ ଜିଲ୍ଲାର ଅର୍ଥନୈତିକ ବିକାଶ ଘଟିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଅରିନ୍ଦମ ପ୍ରଧାନ ପ୍ରସ୍ତାବିତ ପୋର୍ଟାଲର ଲକ୍ଷ୍ୟ, ଉଦ୍ଦେଶ୍ୟ, ଏମ୍ଏସ୍ଏମ୍ଇ ତାଲିକାଭୁକ୍ତ ପ୍ରକ୍ରିୟା ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକର ଭୂମିକା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ସ୍ଥାନୀୟ କ୍ଷୁଦ୍ର ଶିଳ୍ପଗୁଡ଼ିକର ବୈଷୟିକ ଦକ୍ଷତା ବୃଦ୍ଧି, ଗୁଣାତ୍ମକ ମାନ ନିର୍ଦ୍ଧାରଣ ଏବଂ ଆବଶ୍ୟକୀୟ ସାର୍ଟିଫିକେସନ ହାସଲ କରିବାରେ ସହାୟତା ଯୋଗାଇଦେବା ସହ ନିୟମିତ ଭେଣ୍ଡର ଡେଭଲପମେଣ୍ଟ ମିଟ୍ ଏବଂ ବି2ବି ଆଲୋଚନା ଆୟୋଜନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୃହତ ଶିଳ୍ପାନୁଷ୍ଠାନଗୁଡ଼ିକୁ ନିଜର ପ୍ରୋକ୍ୟୋରମେଣ୍ଟ ଟିମରୁ ଜଣେ ଲେଖାଏଁ ନୋଡାଲ ଅଫିସର ମନୋନୀତ କରିବାକୁ କୁହାଯାଇଛି।

ଏହି ବୈଠକରେ ଜିଲ୍ଲାର ପ୍ରମୁଖ ଶିଳ୍ପାନୁଷ୍ଠାନ ଯଥା— ବେଦାନ୍ତ, ଏମସିଏଲ, ଓପିଜିସି, ଏସଏମସି ପ୍ରଭୃତିର ବରିଷ୍ଠ ଅଧିକାରୀ, ପ୍ଲାଣ୍ଟ ମୁଖ୍ୟ ଓ ପ୍ରୋକ୍ୟୋରମେଣ୍ଟ ଟିମ୍ ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ମତାମତ ରଖିଥିଲେ। ଏହା ସହିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣକେଶୀ ବଳିୟାରସିଂହ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଜିଲ୍ଲାପାଳ ସମସ୍ତ ଶିଳ୍ପ ସଂସ୍ଥାକୁ ସ୍ଥାନୀୟ ଯୋଗାଣକାରୀଙ୍କ ବିକାଶ ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande