ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଇସିଡିଏସ୍ ସମୀକ୍ଷା ବୈଠକ
Collector review on ICDS
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଇସିଡିଏସ୍ ସମୀକ୍ଷା ବୈଠକ


ଝାରସୁଗୁଡ଼ା, 24 ସେପ୍ଟେମ୍ବର (ହି.ସ.) : ଜିଲ୍ଲାପାଳ କୁନାଲ୍ ମୋତିରାମ ଚହ୍ଵାଣଙ୍କ ଅଧ୍ୟକ୍ଷତାରେ ସମନ୍ୱିତ ଶିଶୁ ବିକାଶ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ତଥା ଜିଲ୍ଲା ସଂଯୋଜକ-ପୋଷଣ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାରେ ଶିଶୁ ଏବଂ ପ୍ରସୂତି ମହିଳାମାନଙ୍କ ପୁଷ୍ଟିସାଧନ ତଥା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରାଯାଇ କାର୍ଯ୍ୟକ୍ଷମ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ଜିଲ୍ଲାର ଅତ୍ୟଧିକ କୁପୋଷିତ (SAM) ଏବଂ ମଧ୍ୟମ ଧରଣର କୁପୋଷିତ (MAM) ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିସାର ସ୍ଥିତିରେ ଉନ୍ନତି ଆଣିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ସିଡିପିଓ ଏବଂ ସୁପରଭାଇଜରମାନେ ଅଙ୍ଗନୱାଡ଼ି କେନ୍ଦ୍ର ସ୍ତରରେ ଏଭଳି ପ୍ରତ୍ୟେକ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ନିୟମିତ ତଦାରଖ କରିବା ସହ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ଯେପରି କୌଣସି କୁପୋଷିତ ଶିଶୁ ଯତ୍ନରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସେହିପରି 'ପୋଷଣ ଟ୍ରାକର' ଆପ୍ଲିକେସନରେ ପ୍ରତ୍ୟେକ ଶିଶୁର ଓଜନ ଓ ଉଚ୍ଚତା ସଠିକ୍ ଭାବେ ମାପ କରି ନିୟମିତ ବ୍ୟବଧାନରେ ତଥ୍ୟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। କ୍ଷେତ୍ରସ୍ତରରେ ପ୍ରକୃତ ମାପ ଅନୁଯାୟୀ ଯେପରି ଡାଟା ପ୍ରବେଶ କରାଯିବ ଏବଂ ଜିଲ୍ଲାର କୌଣସି ଜଣେ ହେଲେ ଶିଶୁ ଏହି ପଞ୍ଜୀକରଣ ପ୍ରକ୍ରିୟାରୁ ବାଦ୍ ନ ପଡ଼ନ୍ତି, ତାହା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।ଅନ୍ୟପକ୍ଷରେ, ଜିଲ୍ଲାରେ ବାକି ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ଏବଂ ପ୍ରସ୍ତାବିତ ନୂତନ ଗୃହ ନିର୍ମାଣ ନିମନ୍ତେ ଉପଜିଲ୍ଲାପାଳଙ୍କୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande