
ଝାରସୁଗୁଡ଼ା, ୨୪ ସେପ୍େଟମ୍ବର (ହି.ସ.) : ପଶ୍ଚିମ ଓଡ଼ିଶାର ରେଳ ଭିତିଭୂମି ବିକାଶ କ୍ଷେତ୍ରରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା ଧୁତ୍ରାରୁ ସର୍ଡେଗା ପର୍ଯ୍ୟନ୍ତ ପ୍ରାୟ ୫୪ କିଲୋମିଟର ଦୂରତାରେ ୩ୟ ଓ ୪ର୍ଥ ରେଳ ଲାଇନ୍ ନିର୍ମାଣ ପାଇଁ ଫାଇନାଲ ଲୋକେସନ୍ ସର୍ଭେକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି।
ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେପ୍େଟମ୍ବର ୨୨ ତାରିଖରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ସର୍ଭେ ମଞ୍ଜୁରୀ ପାଇଁ ସାଂସଦ ପ୍ରଦୀପ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି।
ପ୍ରସ୍ତାବିତ ୩ୟ ଓ ୪ର୍ଥ ରେଳ ଲାଇନ୍ ନିର୍ମାଣ ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଟ୍ରେନ୍ ଚଳାଚଳ କ୍ଷମତା ବୃଦ୍ଧି ପାଇବ। ଏହାସହ ଯାତ୍ରୀ ପରିବହନ ଓ ମାଲ ପରିବହନ କ୍ଷେତ୍ରରେ ଅଧିକ ସୁବିଧା ମିଳିବା ସହ ପଶ୍ଚିମ ଓଡ଼ିଶାର ଆଂଚଳିକ ରେଳ ସଂଯୋଗୀକରଣ ଆହୁରି ସୁଦୃଢ଼ ହେବ ବୋଲି କୁହାଯାଇଛି।
ଏହି ରେଳପଥର ସମ୍ପ୍ରସାରଣ ଦ୍ୱାରା ଆଗାମୀ ଦିନରେ ଯାତ୍ରୀଙ୍କୁ ଦ୍ରୁତ ଓ ଅଧିକ ସୁବିଧାଜନକ ରେଳ ସେବା ଯୋଗାଇବା ସହ ଅଂଚଳର ଶିଳ୍ପ, ବାଣିଜ୍ୟ ଓ ଅର୍ଥନୈତିକ ବିକାଶକୁ ମଧ୍ୟ ଗତି ମିଳିବ ବୋଲି ଆଶା ପ୍ରକାଶ ପାଇଛି।
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି ଶ୍ଳୋକ ସର୍ମା କହିଛନ୍ତି ଯେ, ଏହି ସର୍ଭେ ମଞ୍ଜୁରୀ ପଶ୍ଚିମ ଓଡ଼ିଶାର ରେଳ ଯୋଗାଯୋଗ ଭିତିଭୂମିକୁ ବ୍ୟାପକ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ