
ନୂଆପଡ଼ା,୨୪ ସେପ୍ଟେମ୍ବର (ହି.ସ.)- ଦିଲ୍ଲୀ ଓ ଭୁବନେଶ୍ୱରରୁ ଆସିଥିବା ପାଞ୍ଚଜଣିଆ ପ୍ରତିନିଧି ଦଳ ବୁଧବାର ଖଡ଼ିଆଳ ବିଡିଓ ମିଲନ କୁମାର ଝାଙ୍କର ଏବଂ ନେହେନା ସରପଞ୍ଚ ଅଶୋକା ଦଣ୍ଡସେନାଙ୍କ ସହ ନେହେନା ସ୍ଥିତ ପ୍ରଭାକର ଦଣ୍ଡସେନାଙ୍କ ଘରକୁ ଯାଇ ପରିବେଶ ଅନୁକୂଳ କାଗଜ ଡଟପେନ ସମ୍ପର୍କରେ ବିସ୍ତୃତ ସୂଚନା ସଂଗ୍ରହ କରିଛନ୍ତି। ଏହି ଅବସରରେ ଡଟପେନର ପ୍ରସ୍ତୁତି ପ୍ରକ୍ରିୟା, ବ୍ୟବହାର ଏବଂ ପରିବେଶ ସୁରକ୍ଷାରେ ଏହାର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନେହେନା ଗ୍ରାମର ଉଚ୍ଚଶିକ୍ଷିତ ଯୁବକ ପ୍ରଭାକର ଦଣ୍ଡସେନା କିଛି ବର୍ଷ ହେଲା ନିଜସ୍ୱ ଉଦ୍ୟମରେ କାଗଜରେ ଡଟପେନ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ। ଏହି ଡଟପେନ ମଧ୍ୟରେ ବିଭିନ୍ନ ଗଛର ମଞ୍ଜି ଭର୍ତ୍ତି କରାଯାଉଛି। ବ୍ୟବହାର ପରେ ଡଟପେନଟି ମାଟିରେ ପଡ଼ି ନଷ୍ଟ ହେବା ସହ ଏଥିରେ ଥିବା ମଞ୍ଜିରୁ ଗଛ ସୃଷ୍ଟି ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ଲୋକଙ୍କ ମଧ୍ୟରେ ଗଛ ଲଗାଇବା ନେଇ ସଚେତନତା ବୃଦ୍ଧି ପାଇବ ବୋଲି ପ୍ରଭାକରଙ୍କ ଉଦ୍ୟମର ଲକ୍ଷ୍ୟ ରହିଛି। ପ୍ରଭାକରଙ୍କ ଏହି ନିଆରା ଉଦ୍ୟମ ସମ୍ପର୍କରେ ସମାଜରେ ଖବର ପ୍ରକାଶ ପାଇଥିଲା। ପରିବେଶ ସୁରକ୍ଷା କ୍ଷେତ୍ରରେ ଏଭଳି ଅଭିନବ ପ୍ରୟାସ ପାଇଁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମଧ୍ୟ ପ୍ରଭାକରଙ୍କୁ ସମ୍ମାନିତ କରିଥିବା ଜଣାପଡ଼ିଛି। ଏହି ଅବସରରେ ଦିଲ୍ଲୀ ଓ ଭୁବନେଶ୍ୱରରୁ ଆସିଥିବା ପାଞ୍ଚଜଣିଆ ପ୍ରତିନିଧି ଦଳ ପ୍ରଭାକର ଦଣ୍ଡସେନାଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏଥିସହ ଏହି ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକୀୟ ସୁବିଧା ଓ ସହଯୋଗ ଯୋଗାଇବାକୁ ପ୍ରତିନିଧି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ