
ଝାରସୁଗୁଡ଼ା, ୨୪ ସେପ୍େଟମ୍ବର (ହି.ସ.) ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସେବା ସଂକଳ୍ପ ପର୍ବ ସଚେତନତା ଅଭିଯାନ ଅଧୀନରେ ପିଡିଏସ୍ ହିତାଧିକାରୀଙ୍କୁ ସଚେତନତା, ବିଭିନ୍ନ ସରକାରୀ ସୁବିଧା, ଖାଦ୍ୟଶସ୍ୟର ପରିମାଣ ଓ ବଣ୍ଟନ ପ୍ରକ୍ରିୟା ସମ୍ପର୍କରେ ସଚେତନତା କରିବା ଲକ୍ଷ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସାଧାରଣ ବଂଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ତ୍ୱରିତ ଓ ଲୋକାଭିମୁଖୀ କରିବା ପାଇଁ ସଂକଳ୍ପ ନେଇଥିଲେ। ଚଳିତ ବର୍ଷ ୧୭ ସେପ୍େଟମ୍ବରରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଠିକ୍ ସମୟରେ ଗୁଣାତ୍ମକ ରାସନ ଯୋଗାଇଦେବା ସହିତ ହିତାଧିକାରୀଙ୍କ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରିବା। ଏହି ମାସବ୍ୟାପୀ ଅଭିଯାନ ଅନ୍ତର୍ଗତ ହିତାଧିକାରୀ ସଚେତନତା, ନୂତନ ରାସନ କାର୍ଡ ପ୍ରଦାନ, ଏବଂ ଆଧାର ସଂଯୋଗୀକରଣ ନିମନ୍ତେ ସ୍ୱତନ୍ତ୍ର ପିଡିଏସ୍ ସେବା ଶିବିର ଆୟୋଜନ କରାଯିବ। ଏଥିସହିତ ସୁଲଭ ମୂଲ୍ୟ ଦୋକାନ ଗୁଡ଼ିକର ଯାଂଚ, ଓଜନ ଓ ଦର ତାଲିକା ନିରୀକ୍ଷଣ, ସ୍ୱତନ୍ତ୍ର ଅଭିଯୋଗ ନିବାରଣ ଶିବିର ଏବଂ ବଂଚିତ ହିତାଧିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ରାସନ ସୁରକ୍ଷା ଯୋଗାଇ ଦେବା ଭଳି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବ। କୌଣସି ପ୍ରକାର ସହାୟତା କିମ୍ବା ଅଭିଯୋଗ ପାଇଁ ହିତାଧିକାରୀମାନେ 'ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ' ଟୋଲ୍-ଫ୍ରି ନମ୍ବର ୧୪୪୪୫ ଏବଂ ୦୬୬୪୫-୨୭୨୯୯୭ ରେ ଯୋଗାଯୋଗ କରିପାରିବେ।
-------------
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ