

ମାଲକାନଗିରି , ୨୪ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା ସମୟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସକାରାତ୍ମକ ଓ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସୁଦୃଢ଼ ନେତୃତ୍ୱରେ ସାରା ପ୍ରଶାସନିକ କଳ ସମ୍ପୂର୍ଣ୍ଣ ସଜାଗ ରହି ଅତ୍ୟନ୍ତ ନିଷ୍ଠାର ସହ ନିଜ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି। ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାପାଳ ନିଜେ ବିଳମ୍ବିତ ରାତିରେ କ୍ଷେତ୍ର ଗସ୍ତ କରି ପ୍ରଭାବିତ ଅଂଚଳର ସ୍ଥିତି ଅନୁଧ୍ୟାନ କରିବା ସହ ତୃଣମୂଳ ସ୍ତରର ଅଧିକାରୀମାନଙ୍କୁ ସେବା କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଅଧିକାରୀମାନଙ୍କୁ ପ୍ରତ୍ୟେକ ବ୍ଲକର ସ୍ୱତନ୍ତ୍ର ମନିଟରିଂ ଦାୟିତ୍ୱ ଦିଆଯାଇ ସଫଳତାର ସହ ସହାୟତା ପହଂଚାଯାଉଥିବା ବେଳେ ଏସଆରସି ଙ୍କ କାର୍ଯ୍ୟାଳୟରୁ ମଧ୍ୟ ଜଣେ ବରିଷ୍ଠ ଅଧିକାରୀ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ବର୍ତମାନ ସୁଦ୍ଧା ଜିଲ୍ଲାର ମାଲକାନଗିରି, କାଲିମେଲା, ମାଥିଲି, ମୋଟୁ, ଚିତ୍ରକୋଣ୍ଡା ଏବଂ ଖଇରପୁଟ ଭଳି ୬ଟି ବ୍ଲକର ୫୮ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ସୁବ୍ୟବସ୍ଥିତ ଉଦ୍ଧାର କାର୍ଯ୍ୟ ଜରିଆରେ ବିପଦସଙ୍କୁଳ ଅଂଚଳରୁ ୧,୧୫୪ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ୮ଟି ବିପଦମୁକ୍ତ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି। ବିଶେଷ କରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ଆଶ୍ରମ ସ୍କୁଲର ୪୫୮ ଜଣ ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଆଶ୍ରୟ କେନ୍ଦ୍ରଗୁଡ଼ିକରେ ବିପନ୍ନଙ୍କୁ ପର୍ଯ୍ୟାପ୍ତ ରନ୍ଧାଖାଦ୍ୟ ଓ ପଲିଥିନ ବଂଟନ ପ୍ରକ୍ରିୟା ଜୋରଦାର ଚାଲିଛି। କାଲିମେଳା ବ୍ଲକରେ ଲୋକଙ୍କ ସୁବିଧା ପାଇଁ ବ୍ୟାପକ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ କୋଇମେଟଲା ଗ୍ରାମ ପଂଚାୟତର ନାମକୋଣ୍ଡା ଗ୍ରାମରୁ ସ୍ଥାନାନ୍ତରିତ ୧୦୦ ଜଣ ଏବଂ ଭେଜାଙ୍ଗିୱାଡାର ଏମଭି-୧୬ ଗ୍ରାମରୁ ଉଦ୍ଧାର ହୋଇଥିବା ୧୦୨ ଜଣ ଗ୍ରାମବାସୀଙ୍କୁ ପାନୀୟ ଜଳ ସହ ସୁସ୍ଥ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଏହା ସହିତ କାଙ୍ଗୁରୁକୋଣ୍ଡାରେ ଅଟକି ରହିଥିବା ୪୦ ଜଣ ଟ୍ରକ ଚାଳକ ଓ ପଥିକଙ୍କୁ ରନ୍ଧାଖାଦ୍ୟ ପ୍ୟାକେଟ ଏବଂ ମାନ୍ଦାପାଲି ଏମଭି-୬ ଠାରେ ଫସି ରହିଥିବା ଲୋକଙ୍କୁ ୨୦ ୟୁନିଟ୍ ସୁଖିଲା ଖାଦ୍ୟ ପ୍ୟାକେଟ୍ ସହ ବଂଟନ କରାଯାଇଛି।
ଏହି ବିପତି ସମୟରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିଛି। ବର୍ତମାନ ସୁଦ୍ଧା ମୋଟ ୧୩୯ ଜଣ ଗର୍ଭବତୀ ମହିଳାଙ୍କୁ ପ୍ରଶାସନ ଦ୍ୱାରା ସୁରକ୍ଷିତ ରଖାଯାଇଛି, ଯେଉଁଥିମଧ୍ୟରୁ ୯୦ ଜଣ ମାଁ ଗୃହରେ ଏବଂ ୪୯ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଆଇପିଡିରେ ଅଛନ୍ତି। ଜିଲ୍ଲାରେ ସଫଳତାର ସହ ୨୨ ଟି ପ୍ରସବ କରାଯାଇଛି, ଯେଉଁଥିରୁ ୧୮ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ୪ ଟି ମାଁ ଗୃହରେ କରାଯାଇଛି। ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର ରୋଗୀମାନଙ୍କୁ ସୁରକ୍ଷିତ ତଥା ବିକଳ୍ପ ରାସ୍ତା ଦେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କରାଯାଇଛି।
ଅପରପକ୍ଷରେ ପ୍ରାଣୀଧନର ସୁରକ୍ଷା ପାଇଁ ପୋଟେରୁ ହାଟପଦା ଅଂଚଳର ଗୋରୁଗାଇଙ୍କୁ ଉଚ୍ଚ ସ୍ଥାନକୁ ନିଆଯାଇ ଗୋଖାଦ୍ୟର ସୁବ୍ୟବସ୍ଥା କରାଯାଇଛି। ବର୍ଷା ଯୋଗୁଁ ଜିଲ୍ଲାର ଭିତିଭୂମି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା କାରଣରୁ ଜିଲ୍ଲାର ପ୍ରମୁଖ ୮ଟି ସେତୁ ଯଥା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି-୧୬, କନ୍ୟାଶ୍ରମ, ଚାଲାଣଗୁଡା, ଏମଭି-୯୦, ଏମଭି-୧୨ ଏବଂ ପାଙ୍ଗାମ ସେତୁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବାରୁ ଯାତାୟାତ ଗମ୍ଭୀର ଭାବେ ବାଧାପ୍ରାପ୍ତ ହୋଇଛି। ବାୟାପଡା ଘାଟି ରାସ୍ତାରେ ପ୍ରବଳ ମାଟି ଅତଡ଼ା ଖସିଥିବାରୁ ପ୍ରଶାସନ ପକ୍ଷରୁ ଜେସିବି ମେସିନ ଲଗାଇ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି ଏବଂ କ୍ଷତିଗ୍ରସ୍ତ ବିଦ୍ୟୁତ ଖୁଂଟ ଗୁଡ଼ିକର ମରାମତି ଚାଲିଛି। ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ ଗୁଜବରୁ ଦୂରେଇ ରହିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ