
ଧର୍ମଶାଳା,୨୪ସେପ୍ଟେମ୍ବର(ହି.ସ.) - ଦିବ୍ୟାଙ୍ଗଜନଙ୍କ ପାଇଁ ଜିଲାରେ ସୁଗମ ଓ ସମାବେଶୀ ପରିବେଶ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜିଲ୍ଲାର ସରକାରୀ ଓ ସବର୍ସାଧାରଣ ଭବନଗୁଡ଼ିକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ସହିତ ଜିଲାସ୍ତରୀୟ ସୁଗମତା ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଜିଲାପାଳ ଅମ୍ବର କୁମାର କର ନିର୍ଦ୍ଦେଶ ଦେଇଛନ୍ତି । ପତ୍ର ସଂଖ୍ୟା ୮୮୯୦, ତାରିଖ- ୨୩/୦୯/୨୦୨୬ରେ ପୁଲିସ ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲାପାଳ (ସାଧାରଣ),ଅତିରିକ୍ତ ଜିଲାପାଳ (ରାଜସ୍ୱ), ଜିଲାମୁଖ୍ୟ ନିର୍ବାହୀ ଅଧିକାରୀ,ଏଲଡିଏମ, ସମସ୍ତ ବିଡିଓ,ତହସିଲଦାର,ସମସ୍ତ ବିଭାଗର ମୂଖ୍ୟ ଅଧିକାରୀ ଓ ସମସ୍ତ ଅଧୀକ୍ଷକ ଯନ୍ତ୍ରୀଙ୍କୁ ମିଳିତ ଭାବରେ ଦିବ୍ୟାଙ୍ଗଜନଙ୍କ ସୁଗମତା ନିମନ୍ତେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆକ୍ସନ ପ୍ଲାନ ଅଧୀନରେ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ଲକ , ପଂଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କ, ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ, ବଜାର ଓ ଅନ୍ୟାନ୍ୟ ସବର୍ସାଧାରଣ ସ୍ଥାନରେ ସୁଗମତାର ସ୍ଥିତି ଯାଂଚ କରାଯିବ । କେଉଁଠି ସୁଗମତା ଅଛି ଏବଂ କେଉଁଠି ଅଭାବ ରହିଛି ତାହା ଚିହ୍ନଟ କରି ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନିଆଯିବ । ର୍ୟାମ୍ପ,ହ୍ୟାଣ୍ଡରେଲ୍,ସୁଗମ ଶୌଚାଳୟ, ଟ୍ୟାକ୍ଟାଇଲ୍ ପାଥ୍, ସାଇନେଜ୍, ଲିଫ୍ଟ, ସୁଗମ ପ୍ରବେଶପଥ ଓ ପାର୍କିଂ ବ୍ୟବସ୍ଥା ଭଳି ମୌଳିକ ସୁଗମତା ମାନଦଣ୍ଡକୁ ଗୁରୁତ୍ୱ ଦିଆଯିବ । ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗଜନଙ୍କ ଆବଶ୍ୟକତାକୁ ଆଧାର କରି ସୁଗମତା ବ୍ୟବସ୍ଥାର ମୂଲ୍ୟାଙ୍କନ କରାଯିବ । ତତ୍ସହିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ଅଧକ୍ଷତାରେ ଏକ ସ୍ୱତନ୍ତ୍ର ଟାକ୍ସର୍ଫୋସ ଗଠନ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟାସ୍କର୍ଫୋସ ବିଭିନ୍ନ ବିଭାଗ ସହ ସମନ୍ୱୟ କରି ସୁଗମତା ଅଡିଟ୍, ସମସ୍ୟା ଚିହ୍ନଟ, ବିଭାଗୱାରୀ ଦାୟିତ୍ୱ ନିର୍ଦ୍ଧାରଣ, ସମୟସୀମା ଧାର୍ଯ୍ୟ ଏବଂ କାର୍ଯ୍ୟାନ୍ୱୟନର ନିରୀକ୍ଷଣ କରିବ । ଏହା ଦ୍ୱାରା ସୁଗମତା କେବଳ କାଗଜପତ୍ରରେ ସୀମିତ ନ ରହି ବାସ୍ତବରେ କାର୍ଯ୍ୟକାରୀ ହୋଇ ପାରିବ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ