
ଆଇଚି-ନାଗୋୟା, ସେପ୍ଟେମ୍ବର 25 (ହି.ସ)। ଏସୀୟ କ୍ରୀଡ଼ା ୨୦୨୬ରେ ଭାରତ ନିଶାନାବାଜିରେ ଆଉ ଏକ ପଦକ ହାସଲ କରିଛି। ରୁଦ୍ରାକ୍ଷ ପାଟିଲ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଓ ନୀରଜ କୁମାରଙ୍କ ଭାରତୀୟ ତ୍ରିମୂର୍ତ୍ତି ପୁରୁଷ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ଦଳଗତ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଭାରତୀୟ ଦଳ ଫାଇନାଲରେ ୧୭୬୨-୯୪x ସ୍କୋର କରି ଚୀନ୍ର ୧୭୬୬-୯୫x ସ୍କୋରଠାରୁ ୪ ପଏଣ୍ଟ ପଛରେ ରହିଥିଲା। ଚୀନ୍ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଦକ୍ଷିଣ କୋରିଆ ୧୭୫୧-୮୭x ସ୍କୋର ସହ କାଂସ୍ୟ ପଦକ ହାସଲ କରିଛି।
୨୦୨୨ ଏସୀୟ କ୍ରୀଡ଼ାରେ ଭାରତ ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲା। କିନ୍ତୁ ଏଥର ଚୀନ୍ଠାରୁ ଭାରତକୁ ନିଜର ଖିତାବ ହରାଇବାକୁ ପଡ଼ିଛି। ଏହି ରୌପ୍ୟ ପଦକ ସହ ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୧୯ରେ ପହଞ୍ଚିଛି। ଏଥିରେ ୨ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୯ଟି କାଂସ୍ୟ ପଦକ ରହିଛି।
ଐଶ୍ୱର୍ଯ୍ୟ ଓ ନୀରଜ ବ୍ୟକ୍ତିଗତ ଫାଇନାଲରେ
ଦଳଗତ ବର୍ଗ ସହିତ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଓ ନୀରଜ କୁମାର ବ୍ୟକ୍ତିଗତ ବର୍ଗର ଫାଇନାଲରେ ମଧ୍ୟ ସ୍ଥାନ ପକ୍କା କରିଛନ୍ତି। ଐଶ୍ୱର୍ଯ୍ୟ ୫୮୯-୩୪x ସ୍କୋର ସହ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ନୀରଜ ୫୮୮-୩୪x ସ୍କୋର ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ରୁଦ୍ରାକ୍ଷ ପାଟିଲ ୫୮୫-୨୬x ସ୍କୋର ସହ ନବମ ସ୍ଥାନରେ ରହିଥିବାରୁ ବ୍ୟକ୍ତିଗତ ଫାଇନାଲରେ ସ୍ଥାନ ପାଇପାରିନାହାନ୍ତି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା