
ନୂଆଦିଲ୍ଲୀ, ସେପ୍ଟେମ୍ବର 25 (ହି.ସ) ୟୁପି ଇଣ୍ଟରନ୍ୟାସନାଲ ଟ୍ରେଡ୍ ଶୋ’ (ୟୁପିଆଇଟିଏସ୍)ର ଚତୁର୍ଥ ସଂସ୍କରଣ ଆଜି ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ ମାର୍ଟରେ ଆରମ୍ଭ ହେବ। କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ସକାଳ ୧୧ଟାରେ ଏହାର ଉଦ୍ଘାଟନ କରିବେ। ତାଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ୮୮ଟି ଦେଶର ରାଷ୍ଟ୍ରଦୂତ ଏବଂ ୨୫୦ ଜଣ ବିଦେଶୀ କ୍ରେତା ମଧ୍ୟ ଏଥିରେ ସାମିଲ ହେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୯ ସେପ୍ଟେମ୍ବରରେ ଟ୍ରେଡ୍ ଶୋ’ର ସମାପନ ସମାରୋହରେ ଯୋଗଦେବେ।
ଉତ୍ତରପ୍ରଦେଶର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭୂପେନ୍ଦ୍ର ଚୌଧୁରୀ ଗୁରୁବାର ନୋଏଡାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ୟୁପିଆଇଟିଏସ୍ ରାଜ୍ୟର ଉଦ୍ୟୋଗୀ, ଉତ୍ପାଦକ ଓ ରପ୍ତାନିକାରୀମାନଙ୍କୁ ବିଶ୍ୱ ବଜାର ସହ ଯୋଡ଼ିବ। ଉଦ୍ଘାଟନୀ ସମାରୋହ ସକାଳ ୧୧ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଏକ୍ସପୋ ମାର୍ଟରେ କେବଳ ପ୍ରବେଶପତ୍ର ଦେଖାଇ ପ୍ରବେଶ କରିହେବ। ଗୃହମନ୍ତ୍ରୀ ଶାହ ସକାଳ ୧୧ଟାରେ ହେଲିକପ୍ଟର ଯୋଗେ ଏକ୍ସପୋ ମାର୍ଟରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିବେ।
ଚୌଧୁରୀ କହିଛନ୍ତି ଯେ, ଏଥର ୬ଟି ଦେଶକୁ ସହଯୋଗୀ ଦେଶ ଭାବେ ସାମିଲ କରାଯାଇଛି। ଉଦ୍ଘାଟନୀ ସମାରୋହରେ ୨୫୦ ଜଣ ବିଦେଶୀ କ୍ରେତା ଉପସ୍ଥିତ ରହିବେ। ଟ୍ରେଡ୍ ଶୋ’ରେ ୨,୪୦୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ। ପ୍ରାୟ ଦେଢ଼ ଲକ୍ଷ ବ୍ୟବସାୟିକ କ୍ରେତା ଏବଂ ସାଢ଼େ ୪ ଲକ୍ଷରୁ ଅଧିକ ସାଧାରଣ ପରିଦର୍ଶକ ଆସିବେ ବୋଲି ଆଶା କରାଯାଉଛି। ୮୫ଟି ଦେଶରୁ ୬୦୦ରୁ ଅଧିକ ଅନ୍ତର୍ଜାତୀୟ କ୍ରେତା ଏଥିରେ ସାମିଲ ହେବେ। ଏପର୍ଯ୍ୟନ୍ତ ୭୨ଟି ଦେଶର କ୍ରେତା ପଞ୍ଜୀକରଣ କରିସାରିଛନ୍ତି। ଚଳିତ ବର୍ଷ ଅଷ୍ଟ୍ରିଆ, ଜାପାନ, ରୁଷ, ସିଙ୍ଗାପୁର, ବେଲାରୁଷ ଓ ଭିଏତନାମ ସହଯୋଗୀ ଦେଶ ଭାବେ ଅଂଶଗ୍ରହଣ କରିବେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା