
ଆଇଚି-ନାଗୋୟା, ୨୬ ସେପ୍ଟେମ୍ବର (ହି.ସ.)- ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପି. ଭି. ସିନ୍ଧୁ ୨୦୨୬ ଏସୀୟ କ୍ରୀଡ଼ାର ମହିଳା ସିଙ୍ଗଲ୍ସ ଇଭେଂଟର ଶେଷ-୧୬ରେ ପ୍ରବେଶ କରିଛନ୍ତି । ସିନ୍ଧୁ ଶନିବାର ଦିନ ଇଚିନୋମିଆ ସିଟି ମ୍ୟୁନିସିପାଲିଟି ଜିମ୍ନାସିୟମରେ ଚିନି ତାଇପେ ର ଚିଉ ପିନ-ଚିୟାନଙ୍କୁ ସିଧାସଳଖ ଗେମ୍ ରେ ୨୧-୧୯, ୨୧-୧୪ରେ ପରାସ୍ତ କରିଥିଲେ ।
ବିଶ୍ୱରେ ୧୭ ତମ ସ୍ଥାନରେ ଥିବା ଚିଉ ପ୍ରଥମ ଗେମ୍ ରେ ଭଲ ଆରମ୍ଭ କରି ୯-୬ ରେ ଅଗ୍ରଣୀ ହାସଲ କରିଥିଲେ । ତେବେ ସିନ୍ଧୁ ସିଧାସଳଖ ତିନୋଟି ପଏଂଟ ସହ ପ୍ରତ୍ୟାବର୍ତନ କରି ମ୍ୟାଚ୍ କୁ ସମାନ କରିଥିଲେ । ଏହା ପରେ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା, କିନ୍ତୁ ନିର୍ଣ୍ଣାୟକ ମୁହୂର୍ତରେ ସିନ୍ଧୁ ଭଲ ଖେଳ ପ୍ରଦର୍ଶନ କରି ପ୍ରଥମ ଗେମ୍ ଜିତିଥିଲେ ।
ଦ୍ୱିତୀୟ ଗେମ୍ ରେ ସିନ୍ଧୁ ଆରମ୍ଭରୁ ନିୟନ୍ତ୍ରଣ ବଜାୟ ରଖିଥିଲେ । ପ୍ରାରମ୍ଭିକ ଅଗ୍ରଣୀ ନେବା ପରେ ସେ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ ଏବଂ ୨୧-୧୪ ରେ ମ୍ୟାଚ୍ ଜିତି ମୁକାବିଲା ନିଜ ନାମରେ କରିନେଇଥିଲେ । ଏହି ୩୧ ବର୍ଷୀୟ ଖେଳାଳି ଏବେ ଶେଷ-୧୬ ମୁକାବିଲାରେ ଜାପାନର ତୋମୋକା ମିଆଜାକିଙ୍କୁ ଭେଟିବେ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ଶନିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ ରେ ଖେଳାଯିବ ।
ଏସୀୟ କ୍ରୀଡ଼ାରେ ସିନ୍ଧୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ ଜାକର୍ତା ଗେମ୍ସରେ ଆସିଥିଲା, ଯେଉଁଠାରେ ସେ ମହିଳା ସିଙ୍ଗଲ୍ସରେ ରୌପ୍ୟ ପଦକ ଜିତିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ