
ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର (ହି.ସ.)- ଭାରତୀୟ କ୍ରିକେଟ୍ ଦଳର କିମ୍ବଦନ୍ତୀ ଖେଳାଳୀ ବିରାଟ କୋହଲି କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୨୦୨୭ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଭାରତ ପାଇଁ ତାଙ୍କର ଶେଷ ବିଶ୍ୱକପ୍ ହେବ ଏବଂ ସେ ଏହି ଟୁର୍ଣ୍ଣାମେଂଟ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ ପୂର୍ବରୁ ଜିଓଷ୍ଟାର ସହ କଥାବାର୍ତା ବେଳେ କୋହଲି କହିଛନ୍ତି ଯେ, ୫୦ ଓଭର ବିଶ୍ୱକପର ତୀବ୍ରତା ଅନ୍ୟ କୌଣସି ଫର୍ମାଟ୍ ଠାରୁ ଭିନ୍ନ । ସେ କହିଥିଲେ ଯେ, ବିଦେଶୀ ପରିସ୍ଥିତିରେ ହେବାକୁ ଥିବା ବିଶ୍ୱକପ୍ ରେ କ୍ରମାଗତ ଭାବେ ଉଚ୍ଚ ସ୍ତରର ତୀବ୍ରତା ବଜାୟ ରଖିବା ଏକ ବଡ଼ ଆହ୍ୱାନ ହୋଇଥାଏ । ଭାରତ ପାଇଁ ଏହା ମୋର ଶେଷ ବିଶ୍ୱକପ୍ ହେବ ଏବଂ ଏହା ହିଁ ମୋର ପ୍ରେରଣା ବୋଲି କୋହଲି କହିଛନ୍ତି । ମୁଁ ନିଜର ସର୍ବସ୍ୱ ଦେବାକୁ ଚାହୁଁଛି । ନିଶ୍ଚିତ ଭାବରେ, ଲକ୍ଷ୍ୟ ହେଉଛି ବିଶ୍ୱକପ୍ ଜିତିବା ଏବଂ ମୁଁ ଯାହା ଆବଶ୍ୟକ ତାହା କରିବାକୁ ପ୍ରସ୍ତୁତ । କୋହଲି ଏବଂ ରୋହିତ ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟରେ କେବଳ ଗୋଟିଏ ଫର୍ମାଟରେ ଖେଳୁଛନ୍ତି । ଉଭୟ ଆଗାମୀ ବର୍ଷର ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଉପରେ ଧ୍ୟାନ ଦେଉଛନ୍ତି ।
ଅନ୍ୟପକ୍ଷରେ ରୋହିତ ଶର୍ମା କହିଛନ୍ତି ଯେ, ବିଶ୍ୱକପକୁ ନେଇ ତାଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇନାହିଁ । ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସେ ଖେଳୁଛନ୍ତି, ତାଙ୍କ ପାଇଁ କିଛି ହାସଲ କରିବାର କିଛି ନା କିଛି ଅଛି ।
ରୋହିତ କହିଛନ୍ତି ଯେ, ଆଇ.ସି.ସି. ଟୁର୍ଣ୍ଣାମେଂଟରେ ଭିନ୍ନ ଭିନ୍ନ ଦଳ, ପଡ଼ିଆ ଏବଂ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥାଏ, ତେଣୁ ଖେଳାଳିମାନଙ୍କୁ ମଧ୍ୟ ସେମାନଙ୍କ ପ୍ରସ୍ତୁତି ଏବଂ ମାନସିକତାରେ ପରିବର୍ତନ କରିବାକୁ ପଡ଼ିଥାଏ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ