
ଏସୀୟ କ୍ରୀଡା ଇତିହାସରେ ଭାରତୀୟ ମହିଳା ଦଳ ମୋଟ ଉପରେ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଛି
ଟୋକାଇ, ସେପ୍ଟେମ୍ବର 26 (ହି.ସ)। ଭାରତୀୟ ମହିଳା କବାଡ଼ି ଦଳ ଚମତ୍କାର ପ୍ରଦର୍ଶନ କରି ଏସୀୟ କ୍ରୀଡ଼ା ୨୦୨୬ରେ ନିଜର ସ୍ୱର୍ଣ୍ଣ ପଦକ ବଜାୟ ରଖିବାରେ ସଫଳ ହୋଇଛି। ଶନିବାର ତୋକାଇ ସିଟିଜେନ୍ ଜିମ୍ନାସିୟମ୍ରେ ଅନୁଷ୍ଠିତ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଭାରତ ୨୦୧୮ର ଚାମ୍ପିଅନ୍ ଇରାନକୁ ୩୭-୩୪ ପଏଣ୍ଟରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହି ବିଜୟ ସହ ଭାରତ ଏସୀୟ କ୍ରୀଡ଼ା ଇତିହାସରେ ମହିଳା କବାଡ଼ିରେ ନିଜର ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଛି।
ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ଆରମ୍ଭରୁ ହିଁ ମ୍ୟାଚ୍ ଉପରେ ନିଜର ନିୟନ୍ତ୍ରଣ ବଜାୟ ରଖିଥିଲା। ଯଦିଓ ଇରାନ କଡ଼ା ଚ୍ୟାଲେଞ୍ଜ ଦେଇଥିଲା, ତଥାପି ଭାରତୀୟ ଖେଳାଳିମାନେ ଚାପ ମଧ୍ୟରେ ଧୈର୍ଯ୍ୟ ଓ ସଂଯମତା ବଜାୟ ରଖିଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨୨-୧୬ ପଏଣ୍ଟରେ ଅଗ୍ରଣୀ ହାସଲ କରିଥିଲା।
ମ୍ୟାଚ୍ର ଆରମ୍ଭ ଅତ୍ୟନ୍ତ ରୋମାଞ୍ଚକର ରହିଥିଲା ଏବଂ ଚାରି ମିନିଟ୍ ପରେ ଉଭୟ ଦଳ ୫-୫ ପଏଣ୍ଟରେ ସମାନ ସ୍ଥିତିରେ ଥିଲେ। ଏହାପରେ ସଞ୍ଜୁଙ୍କ ଉପରେ ଚମତ୍କାର ଆଙ୍କଲ୍ ହୋଲ୍ଡ କରି ଇରାନ ୬-୫ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଭାରତ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ଭାବେ ପଏଣ୍ଟ ହାସଲ କରିଥିଲା।
ଭାବନା ଦେବୀଙ୍କ ଚମତ୍କାର ଟ୍ୟାକଲ୍ ପରେ ଭାରତ ପ୍ରଥମ ଅଲ୍ଆଉଟ୍ କରି ୧୩-୧୦ରେ ଅଗ୍ରଣୀ ହାସଲ କରିଥିଲା। ଏହାପରେ ନିକିତା ମଲ୍ଟି-ପଏଣ୍ଟ ରେଡ୍ କରି ଭାରତର ଅଗ୍ରଣୀକୁ ୧୫-୧୦କୁ ବୃଦ୍ଧି କରିଥିଲେ। ସଞ୍ଜୁ ଦେବୀ ମଧ୍ୟ ବୋନସ୍ ଓ ଅନ୍ୟ ଦୁଇଟି ପଏଣ୍ଟ ହାସଲ କରି ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।
ଦ୍ୱିତୀୟାର୍ଦ୍ଧରେ ଇରାନ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରି ଭାରତର ଅଗ୍ରଣୀକୁ ହ୍ରାସ କରିଥିଲା। ମ୍ୟାଚ୍ର ଶେଷ ୧୦ ମିନିଟ୍ରେ ଭାରତ ୨୫-୨୦ରେ ଆଗୁଆ ରହିଥିଲା। ଏହାପରେ ଇରାନ କ୍ରମାଗତ ଭାବେ ପଏଣ୍ଟ ହାସଲ କରି ସ୍କୋରକୁ ୨୭-୨୬ରେ ପହଞ୍ଚାଇଥିଲା। କିନ୍ତୁ ଭାରତୀୟ ଦଳ ଚାପ ମଧ୍ୟରେ ମଧ୍ୟ ଚମତ୍କାର ଖେଳ ଜାରି ରଖିଥିଲା।
ସଞ୍ଜୁ ଦେବୀଙ୍କ ଦୁଇ ପଏଣ୍ଟ ବିଶିଷ୍ଟ ରେଡ୍ ଭାରତକୁ ପୁଣିଥରେ ଅଗ୍ରଣୀ କରାଇଥିଲା ଏବଂ ସ୍କୋର ୩୪-୨୮ରେ ପହଞ୍ଚିଥିଲା। ଏହାପରେ ପୂଜା ଆଉ ଏକ ପଏଣ୍ଟ ହାସଲ କରିଥିଲେ। ଶେଷ ମୁହୂର୍ତ୍ତରେ ଭାରତୀୟ ଦଳ ନିଜର ରକ୍ଷଣାତ୍ମକ ଖେଳକୁ ମଜଭୁତ ରଖି ୩୭-୩୪ ପଏଣ୍ଟରେ ମ୍ୟାଚ୍ ଜିତିବା ସହ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା