ବେଲପାହାଡ଼ରେ ୧୦.୯୧୮ କେଜି ଗଞ୍ଜେଇ ଜବତ, ଉତ୍ତରପ୍ରଦେଶର ୨ ମହିଳା ଗିରଫ
10 kg ganja seized at Belpahar
ବେଲପାହାଡ଼ରେ ୧୦.୯୧୮ କେଜି ଗଞ୍ଜେଇ ଜବତ, ୨


ଝାରସୁଗୁଡ଼ା, ୨୭ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ନିଶା ନିରୋଧୀ ଅଭିଯାନ ‘ଦମନ’ ଓ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଅଧୀନରେ ବେଲପାହାଡ଼ ଷ୍ଟେସନ ଦୁର୍ଗାମଣ୍ଡପ ନିକଟରୁ ୧୦.୯୧୮ କେଜି ଓଜନର ସନ୍ଦିଗ୍ଧ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଉତ୍ତରପ୍ରଦେଶର ୨ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ୨୭ ସେପ୍ଟେମ୍ବରରେ ପାଟ୍ରୋଲିଂ ସମୟରେ ବିଶ୍ୱସନୀୟ ସୂଚନା ପାଇ ବେଲପାହାଡ଼ ଥାନାର ଏସ୍ଆଇ ଚିତ୍ତରଞ୍ଜନ ମହାନନ୍ଦିଆଙ୍କ ନେତୃତ୍ୱରେ ପୁଲିସ ଟିମ୍ ଷ୍ଟେସନ ଦୁର୍ଗାମଣ୍ଡପ ନିକଟରେ ଦୁଇ ମହିଳାଙ୍କୁ ଅଟକାଇଥିଲା। ସେମାନେ ଦୁଇଟି କ୍ୟାରି ବ୍ୟାଗ୍ ଧରିଥିଲେ। କାର୍ଯ୍ୟପାଳକ ମାଜିଷ୍ଟ୍ରେଟ୍ ଓ ସାକ୍ଷୀଙ୍କ ଉପସ୍ଥିତିରେ ବ୍ୟାଗ୍ ତଲାସୀ କରାଯିବାରୁ ସେଥିରୁ ୩ଟି ପ୍ୟାକେଟ୍ ରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପୁଲିସ ୧୦.୯୧୮ କେଜି ସନ୍ଦିଗ୍ଧ ଗଞ୍ଜେଇ ସହ ଦୁଇଟି କ୍ୟାରି ବ୍ୟାଗ୍, ୩ଟି ଖାଲି ରାପର୍, ଆଡହେସିଭ୍ ଟେପ୍ ଏବଂ ୨୭୦ ଟଙ୍କା ନଗଦ ଜବତ କରିଛି। ଗିରଫ ମହିଳାମାନେ ହେଲେ ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲା ବିଷ୍ଣୁପୁରା ଥାନା ଅନ୍ତର୍ଗତ ଅହିରୌଲି ଅଞ୍ଚଳର ରୋଶନତାରା (୪୦) ଓ ରେଖା ଦେବୀ ଓରଫ ସଙ୍ଗୀତା ଦେବୀ (୩୦)। ଏ ସଂକ୍ରାନ୍ତରେ ବେଲପାହାଡ଼ ଥାନା କେସ୍ ନମ୍ବର ୧୮୯, ତାରିଖ ୨୭.୦୯.୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(୨)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି।

ଗିରଫ ଅଭିଯୁକ୍ତ ଦୁଇ ମହିଳାଙ୍କୁ କୋର୍ଟଚାଲାଣ କରାଯାଇଛି। ଜବତ ନିଶାଦ୍ରବ୍ୟର ଉତ୍ସ ଓ ଏହା ପଛରେ ଥିବା ନେଟୱର୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। ନିଶାଦ୍ରବ୍ୟ ସମ୍ପର୍କିତ କୌଣସି ସୂଚନା ମିଳିଲେ ପୁଲିସକୁ ଜଣାଇବାକୁ ଝାରସୁଗୁଡ଼ା ପୁଲିସ ପକ୍ଷରୁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande