
ଝାରସୁଗୁଡ଼ା, ୨୭ ସେପ୍ଟେମ୍ବର (ହି.ସ.)- ବଡମାଲ ଥାନା ଅଧୀନ ସାପଡ଼ା ପେଟ୍ରୋଲ ପମ୍ପ ନିକଟରେ ରବିବାର ସକାଳ ପ୍ରାୟ ୬ରୁ ୭ଟା ମଧ୍ୟରେ ଅଜଣା ଗାଡ଼ି ଧକ୍କାରେ ୩ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ମୃତ ଗୋରୁଗୁଡ଼ିକ ପଡ଼ିରହିଥିବାରୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବଡମାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲା। ପୁଲିସର ବୁଝାସୁଝା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ। ଫଳରେ ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।
ରାସ୍ତା ଅବରୋଧ ଯୋଗୁଁ କିଛି ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ି ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ