

ନୂଆଦିଲ୍ଲୀ, ୨୭ ସେପ୍ଟେମ୍ବର (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ରବିବାର କହିଛନ୍ତି ଯେ, ଅଶୋକ ସିଂଘଲଙ୍କ ସମଗ୍ର ଜୀବନ ଧର୍ମ ଓ ରାଷ୍ଟ୍ରସେବା ପାଇଁ ସମର୍ପିତ ଥିଲା। ସେ ହିନ୍ଦୁ ସମାଜ ମଧ୍ୟରେ ଆତ୍ମସମ୍ମାନ ଓ ଚେତନାର ସଞ୍ଚାର କରିଥିବା ଜଣେ ପ୍ରକୃତ ଶିଖର ପୁରୁଷ ଥିଲେ।
ଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ପୂର୍ବତନ ଅନ୍ତର୍ଜାତୀୟ ଅଧ୍ୟକ୍ଷ ତଥା ରାମଜନ୍ମଭୂମି ଆନ୍ଦୋଳନର ପ୍ରମୁଖ ସୂତ୍ରଧର ଅଶୋକ ସିଂଘଲଙ୍କ ଜନ୍ମଶତବାର୍ଷିକୀ ବର୍ଷ ସମାରୋହରେ ଯୋଗଦେଇ ହୋସବାଲେ ଏହା କହିଛନ୍ତି।
ଭଗବଦ୍ଗୀତାର ୧୮ତମ ଅଧ୍ୟାୟର ଉଲ୍ଲେଖ କରି ସେ କହିଥିଲେ, ଅଶୋକ ସିଂଘଲ ପ୍ରକୃତ ଅର୍ଥରେ ‘ମୁକ୍ତସଙ୍ଗ’, ‘ଅନହଂବାଦୀ’ ଏବଂ ‘ଧୃତ୍ୟୁତ୍ସାହସମନ୍ୱିତ’ କାର୍ଯ୍ୟକର୍ତ୍ତା ଥିଲେ। ତାଙ୍କର ପଦ କିମ୍ବା ପ୍ରତିଷ୍ଠା ପ୍ରତି କୌଣସି ମୋହ ନଥିଲା ଏବଂ ସଫଳତା କିମ୍ବା ବିଫଳତାରେ ସେ କେବେ ବିଚଳିତ ହେଉନଥିଲେ। ସେ କେବଳ ଜଣେ ଆନ୍ଦୋଳନକାରୀ ନୁହେଁ, ବରଂ ସଂଗଠନ, ସଂଘର୍ଷ ଓ ସମନ୍ୱୟର ଏକ ଅନନ୍ୟ ସଙ୍ଗମ ଥିଲେ। ନିଷ୍ପତ୍ତି ନେବାରେ ସେ ବଜ୍ର ପରି ଦୃଢ଼ ଥିଲେ, ଅନ୍ୟପକ୍ଷରେ ସମାଜର ସଙ୍କଟ ଓ ଯନ୍ତ୍ରଣା ଦେଖି ତାଙ୍କ ହୃଦୟ ନବନୀତ ପରି ତରଳ ହୋଇଯାଉଥିଲା। ସମୃଦ୍ଧ ଓ ଶିକ୍ଷିତ ପରିବାରରୁ ଆସିଥିଲେ ମଧ୍ୟ ସେ ସଂଘର ପ୍ରଚାରକ ଭାବେ ସାରା ଜୀବନ ଅତ୍ୟନ୍ତ ସରଳତା ଓ ରାଷ୍ଟ୍ରଧର୍ମର ସେବାରେ ବିତାଇଥିଲେ।
ହୋସବାଲେ କହିଥିଲେ ଯେ, ଅଶୋକ ସିଂଘଲଙ୍କ ଅବଦାନ କେବଳ ରାମଜନ୍ମଭୂମି ଆନ୍ଦୋଳନ ମଧ୍ୟରେ ସୀମିତ ନଥିଲା। ସମାଜ ଓ ସଂସ୍କୃତିର ବିଭିନ୍ନ କ୍ଷେତ୍ରରେ ସେ ଯୁଗାନ୍ତକାରୀ କାର୍ଯ୍ୟ କରିଥିଲେ। ପ୍ରୟାଗରାଜର ସଙ୍ଗମ ତଟରେ ସେ ଦେଶର ବିଭିନ୍ନ ସ୍ଥାନରୁ ୧,୦୦୦ ବେଦପାଠୀ ବିଦ୍ୱାନଙ୍କ ସମାଗମ କରାଇଥିଲେ। ୧୯୯୪ ମସିହାର ନାସିକ କୁମ୍ଭରେ ସନ୍ଥ ଓ ବିଦ୍ୱାନମାନଙ୍କ ସହ ପରାମର୍ଶ କରି ମହିଳାମାନଙ୍କ ଦ୍ୱାରା ବେଦମନ୍ତ୍ର ପାଠର ଏକ ଐତିହାସିକ ଆୟୋଜନ କରାଇଥିଲେ ଏବଂ ସମାଜରେ ପ୍ରଚଳିତ ଭ୍ରାନ୍ତ ଧାରଣାକୁ ଦୂର କରିବାର ପ୍ରୟାସ କରିଥିଲେ।
ରାମ-ଜାନକୀ ଯାତ୍ରା ସମୟରେ ସୁରକ୍ଷା ସମସ୍ୟାକୁ ଦୃଷ୍ଟିରେ ରଖି ଅଶୋକ ସିଂଘଲ ଯୁବକମାନଙ୍କ ଏକ ଦଳ ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଦଳ ‘ବଜରଙ୍ଗ ଦଳ’ର ରୂପ ନେଇଥିଲା ଏବଂ ଧର୍ମ ଓ ରାଷ୍ଟ୍ରର ସୁରକ୍ଷା ପାଇଁ ସମର୍ପିତ ସଂଗଠନ ଭାବେ ପରିଚିତ ହୋଇଥିଲା।
୧୯୮୩-୮୪ର ରାଷ୍ଟ୍ରୀୟ ଏକାତ୍ମତା ଯାତ୍ରାର ଉଲ୍ଲେଖ କରି ସରକାର୍ଯ୍ୟବାହ କହିଥିଲେ ଯେ, ଭିଏଚପିରେ ଦାୟିତ୍ୱ ଗ୍ରହଣ କରିବା ପରେ ଅଶୋକ ସିଂଘଲ ଗଙ୍ଗାଜଳ, ଭାରତମାତା ଓ ଗୋମାତାଙ୍କ ପ୍ରତୀକ ସହ ଦେଶବ୍ୟାପୀ ଯାତ୍ରାର ନେତୃତ୍ୱ ନେଇଥିଲେ। ତତ୍କାଳୀନ ଗଣମାଧ୍ୟମ ଏହାକୁ ‘ହିନ୍ଦୁ ସମାଜର କୁଣ୍ଡଳିନୀ ଶକ୍ତିର ଜାଗରଣ’ ବୋଲି ବର୍ଣ୍ଣନା କରିଥିଲା।
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ନାମରୁ ‘ହିନ୍ଦୁ’ ଶବ୍ଦ ହଟାଇବା ପାଇଁ ହୋଇଥିବା ପ୍ରୟାସକୁ ସେ ତୀବ୍ର ବିରୋଧ କରି ତାହାକୁ ରୋକିଥିଲେ। ଏଥିସହ ମହାମନା ମଦନ ମୋହନ ମାଲବୀୟଙ୍କ ବିଚାରକୁ ଆଗକୁ ବଢ଼ାଇବା ପାଇଁ ‘ମାଲବୀୟ ମିଶନ’ର ପ୍ରତିଷ୍ଠା କରିଥିଲେ। ରାମସେତୁର ସୁରକ୍ଷା ପାଇଁ ଦେଶବ୍ୟାପୀ ଜନଚେତନା ସୃଷ୍ଟି କରିଥିଲେ। ୧୯୮୪ରେ ପଞ୍ଜାବର ସଙ୍କଟପୂର୍ଣ୍ଣ ସମୟରେ ସନ୍ଥମାନଙ୍କ ସହ ମିଶି ରାଷ୍ଟ୍ରୀୟ ସଦ୍ଭାବନା ଯାତ୍ରା ମଧ୍ୟ କରିଥିଲେ।
ସରକାର୍ଯ୍ୟବାହ କହିଥିଲେ ଯେ, ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଏବଂ ରାମ ବନଗମନ ପଥରେ ୧୦୮ଟି ରାମ ସ୍ତମ୍ଭ ସ୍ଥାପନ ଅଶୋକ ସିଂଘଲଙ୍କ ସଂକଳ୍ପ, ସାମର୍ଥ୍ୟ ଓ ରାଷ୍ଟ୍ରଭକ୍ତିର ଅମର ପ୍ରତୀକ। ମନ୍ଦିର ନିର୍ମାଣ ପରେ ଏବେ ‘ରାମରାଜ୍ୟ’ ସ୍ଥାପନ ପାଇଁ ନିରନ୍ତର କାର୍ଯ୍ୟ କରିବା ହିଁ ଅଶୋକ ସିଂଘଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ଆହ୍ୱାନ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ