
ଭଦ୍ରକ, ୨୭ ସେପ୍ଟେମ୍ବର (ହି.ସ.) - ଲଘୁଚାପଜନୀତ ପ୍ରବଳ ବର୍ଷାରେ ଭଦ୍ରକ ସମେତ ଜିଲ୍ଲାର ଳକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି। ଭଦ୍ରକ ପୌରାଚଂଳର ପ୍ରାୟ ସମସ୍ତ ୱାର୍ଡ଼ରେ ନାହିଁ ନଥିବା ବିଭୀଷିକା ଦେଖିବାକୁ ମିଳିଛି। ଅଧିକାଂଶ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି। ବହୁ ଲୋକଙ୍କ ଘର ଭାଙ୍ଗିଛି। ସେମାନଙ୍କ ଘରେ ଚୁଲି ଜଳିନାହିଁ। ସରକାରୀ ସହାୟତା ମଧ୍ୟ ସେମାନଙ୍କ ନିକଟରେ ପହଂଚିନାହିଁ। ଏହି ସମୟରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ପୌରାଚଂଳର ସର୍ବାଧିକ କ୍ଷତିଗ୍ରସ୍ତ ୧୯ ଓ ୨୭ ନମ୍ବର ୱାର୍ଡ଼ରେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପହଂଚି ବନ୍ୟା ଦୁର୍ଗତଙ୍କୁ ଭେଟିଥିଲେ। ଶ୍ରୀ ମହାନ୍ତି ପ୍ରଭାବିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ। ଏହା ଏକ ମନୁଷ୍ୟକୃତ ବନ୍ୟା। ୧୯୯୯ ମହାବାତ୍ୟା ପରେ ଏପରି ବନ୍ୟା ଦେଖିବାକୁ ମିଳିଛି। ପ୍ରଶାସନିକ ନିଷ୍କ୍ରିୟତା କାରଣରୁ ଏପରି ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି। ବିଶେଷକରି ବନ୍ୟା ନିୟନ୍ତ୍ରଣରେ ହଦଗଡ଼ ଠାରେ ଥିବା ଡ୍ୟାମର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। କିଛି ଦିନ ପୂର୍ବେ ଡ୍ୟାମ ପରିଚାଳନାରେ ତ୍ରୁଟି ପାଇଁ ବନ୍ୟା ସୃଷ୍ଟି ହୋଇଥିଲା। ସେଥିରୁ ମଧ୍ୟ ଡ୍ୟାମ କର୍ତୃପକ୍ଷ କୌଣସି ଶିକ୍ଷା ଲାଭ କଲେ ନାହିଁ। ଳଘୁଚାପ ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରି ସତର୍କ କରାଇଥିଲେ ବି ଡ୍ୟାମ କର୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇନଥିବା ଦେଖିବାକୁ ମିଳିଛି। ବର୍ଷା ପୂର୍ବରୁ କର୍ତୃପକ୍ଷ ଡ୍ୟାମରୁ ପାଣି ଛାଡ଼ି ଥିଲେ ,ପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। କିନ୍ତୁ ବର୍ଷା ପାଣିରେ ସହର ଉବୁଟୁବୁ ହେଉଥିବା ସମୟରେ କର୍ତୃପକ୍ଷ ଫାଟକ ଖୋଲି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛନ୍ତି। ତେଣୁ ଡ୍ୟାମ କର୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ାଂନ ଜରୁରୀ। ଏହା ବାଦ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ବୋଲି ଶ୍ରୀ ମହାନ୍ତି କହିବା ସହ ଘର ଭାଙ୍ଗି ଯାଇଥିବା ପରିବାରଙ୍କୁ ତୁରନ୍ତ ଆବାସ ଯୋଜନାରେ ଗୃହ ଯୋଗାଣ ଓ ଏବେ ରନ୍ଧା ଖାଦ୍ୟ ବଂଟନ କରିବାକୁ ଦାବି କରିଛନ୍ତି। ଉକ୍ତ ପ୍ରତିନିଧି ମଣ୍ଡଳୀରେ ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନର ରାଜ୍ୟ ସଂଯୋଜକ ପ୍ରଦ୍ୟୁମ୍ନ ଦାସ, ରାଜ୍ୟ ଏସସି ସେଲ ସଂପାଦକ ରାଜେନ୍ଦ୍ର ପ୍ରସାଦ ଯେନା, ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ବିଜୟ ବାରିକ, ୧୯ ନମ୍ବର ପାରିଷଦ ରୁକ୍ସାନା ଖାତୁନ, ୨୭ ନମ୍ବର ପାରିଷଦ ସେହେଜାଦି ଦୂରେ ଜିନ୍ନା, ଏନାମୁଲ ହକ୍, ଇଳ୍ଲିୟାସ ଅଲ୍ଲୀ ଖନ, ସେକ କାଲିଆ, ସେକ୍ ଏନାମ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ