
ମାଲକାନଗିରି, ୨୭ ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ, କାଲିମେଳା ଓ ପଡ଼ିଆ ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଗୋଦାବରୀ ଓ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଶହ ଶହ ଏକର ଚାଷ ଜମି ଓ ରାସ୍ତା ଘାଟ ପାଣିରେ ବୁଡି ରହିଛି।
ଏହି ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ମାଲକାନଗିରି ବିଜେଡି ଟିମ୍ ପକ୍ଷରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରାଯାଇଛି।
ବିଜେଡି ନେତୃମଣ୍ଡଳୀ ମୋଟୁ ଅଞ୍ଚଳରୁ ଆରମ୍ଭ କରି କାଲିମେଳା ଓ ପଡ଼ିଆ ବ୍ଲକର ବନ୍ୟା ପ୍ରଭାବିତ ଗାଁ ଗୁଡିକ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିଥିଲେ। ଅନେକ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବା ବେଳେ ଲୋକେ ଡଙ୍ଗା ସାହାଯ୍ୟରେ ଯାତାୟାତ କରୁଛନ୍ତି। ଚାଷୀମାନେ ଫସଲ ନଷ୍ଟ ହେବା ନେଇ ଚିନ୍ତାରେ ଅଛନ୍ତି। ଏହି ଅବସରରେ ବିଜେଡି ଟିମ୍ ପ୍ରଶାସନକୁ ତୁରନ୍ତ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି। କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ପରିଦର୍ଶନ ସମୟରେ ବିଜେଡିର ବରିଷ୍ଠ ନେତା ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀ, ବିଶ୍ଵନାଥ ରେଡି, ଇ. ମୁଚିଆଲ ରାଓ, ଦାରି ଲିଙ୍ଗା, ସର୍ବେଶ୍ଵର ବିଶୋଇ, କେ. ରାହୁଲ, ବିକାଶ ମଣ୍ଡଳ, ପୂର୍ବତନ ପୁସୁଗୁଡା ସରପଞ୍ଚ ରା଼ମା ରାବା ଓ କର୍ମୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ