
କେନ୍ଦୁଝର, ୨୭ ସେପ୍ଟେମ୍ବର (ହି.ସ.)- ଜାତୀୟ ସ୍ବେଛାକୃତ ରକ୍ତଦାନ ପକ୍ଷ ଅବସରରେ କେନ୍ଦୁଝର ଜିଲ୍ଲା ତୈଳିକବୈଶ୍ୟ ସମାଜ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ଶତାଧିକ ୟୁନିଟ ରକ୍ତ ସଂଗ୍ରହ ହୋଇ ଜିଲ୍ଲା ରକ୍ତକେନ୍ଦ୍ରକୁ ମାନବ କଲ୍ୟାଣ ନିମନ୍ତେ ପ୍ରଦାନ କରାଯାଇଛି, ବରିଷ୍ଠ ସଦସ୍ୟ ବଳରାମ ପୃଷ୍ଟି, ସଭାପତି ବସନ୍ତ କୁମାର ସାହୁ, ବସନ୍ତ ପୃଷ୍ଟି, ପ୍ରଫୁଲ୍ଲ ସାହୁ, ଦେବ ବ୍ରତ ବେହେରା,ପ୍ରଦୀପ ପ୍ରଜ୍ବଳନ କରି ଶିବିର ଉଦଘାଟନ କରିଥିଲେ,ସମ୍ପାଦକ ମାୟାଧର ସାହୁ ଶିବିର ପରିଚାଳନା କରିଥିଲେ, ଜିଲ୍ଳା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠି ଉପସ୍ଥିତ ରହି ରକ୍ତଦାତା ଓ ଆୟୋଜକ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଡାକ୍ତର ପୁରୁଷୋତ୍ତମ ମହାନ୍ତ, ରମାକାନ୍ତ ମୁଣ୍ଡା ଏବଂ ରକ୍ତକେନ୍ଦ୍ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।
ଜିଲ୍ଲା ତୈଳିକ ବୈଶ୍ୟ ସମାଜ ର ଏତାଦୃଶ ଜନକଲ୍ୟାଣ କାର୍ଯ୍ୟକ୍ରମ ସହରରେ ପ୍ରଶଂସିତ ହୋଇଛି, ଆଗାମୀ ସମୟରେ ଏ ପ୍ରକାର ର ଜନହିତ କାର୍ଯ୍ୟ ନିୟମିତ ଚାଲୁ ରହିବ ବୋଲି କର୍ମକର୍ତା ମାନେ ପ୍ରକାଶ କରିଛନ୍ତି। ତୈଳିକବୈଶ୍ୟ ସମାଜର ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ଏହି ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଆଗାମୀ ସମୟରେ ଯେକୌଣସି ସଂସ୍ଥା ରକ୍ତଦାନ ଶିବିର କରିବେ ସେମାନଙ୍କୁ ମାଗଣାରେ ସମାଜଭବନ ଏବଂ ସମସ୍ତ ଉପକରଣ ଯୋଗାଇ ଦିଆଯିବ ତୈଳିକ ବୈଶ୍ୟ ସମାଜସଭାପତି ପକ୍ଷରୁ ଘୋଷଣା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA