୧୭୭.୫ ହେକ୍ଟର ଧାନ ଜମିରେ ଚକଡ଼ା ପୋକର ପ୍ରାଦୁର୍ଭାବ : ୩ ବ୍ଲକର ୪୯ ପଞ୍ଚାୟତ ପ୍ରଭାବିତ, ୫୦ ପ୍ରତିଶତ ରିହାତିରେ ଔଷଧ ଯୋଗାଣ ପାଇଁ ପଦକ୍ଷେପ
Brown Planthopper Infestation
୧୭୭.୫ ହେକ୍ଟର ଧାନ ଜମିରେ ଚକଡ଼ା ପୋକର ପ୍ରାଦୁର୍ଭାବ


ଝାରସୁଗୁଡ଼ା, ୨୭ ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷା ଯୋଗୁଁ ଗତ ତିନି ମାସ ଧରି ଜିଲ୍ଲାରେ ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ ଏବେ ବର୍ଷା କମିବା ପରେ ଚକଡ଼ା ଓ ଗଣ୍ଠି ପୋକର ପ୍ରାଦୁର୍ଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଧାନ ଫସଲରେ ଚକଡ଼ା ପୋକ ଲାଗିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାର ମୋଟ ୫ଟି ବ୍ଲକ ମଧ୍ୟରୁ କୋଲାବିରା, ଲଇକେରା ଓ ଲଖନପୁର ବ୍ଲକର ୪୯ଟି ପଞ୍ଚାୟତରେ ଚକଡ଼ା ପୋକର ପ୍ରାଦୁର୍ଭାବ ନେଇ କୃଷି ବିଭାଗ ପକ୍ଷରୁ କ୍ଷେତ୍ରସ୍ତରୀୟ ଆକଳନ କରାଯାଇଛି। ବିଭାଗର ଆକଳନ ଅନୁଯାୟୀ, ଏହି ତିନି ବ୍ଲକର ମୋଟ ୧୭୭.୫ ହେକ୍ଟର ଧାନ ଜମିରେ ଚକଡ଼ା ପୋକ ଲାଗିଛି। ଅନ୍ୟପକ୍ଷରେ କିର୍ମିରା ଓ ଝାରସୁଗୁଡ଼ା ବ୍ଲକରେ ଏପର୍ଯ୍ୟନ୍ତ ଚକଡ଼ା ପୋକର ପ୍ରାଦୁର୍ଭାବ ଚିହ୍ନଟ ହୋଇନଥିବା ବିଭାଗ ପକ୍ଷରୁ କୁହାଯାଇଛି।

କୋଲାବିରାସ୍ଥିତ ଅତିରିକ୍ତ ଜିଲ୍ଲା କୃଷି କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଲଖନପୁର ବ୍ଲକର ସମସ୍ତ ୩୩ଟି ପଞ୍ଚାୟତର ୫୭ଟି ଗ୍ରାମର ୧୪୨ ହେକ୍ଟର ଧାନ ଫସଲରେ ଚକଡ଼ା ପୋକ ଲାଗିଛି। ସେହିପରି ଲଇକେରା ବ୍ଲକର ୧୧ଟି ପଞ୍ଚାୟତ ମଧ୍ୟରୁ ୧୦ଟି ପଞ୍ଚାୟତର ୩୫ଟି ଗ୍ରାମର ୨୭.୫ ହେକ୍ଟର ଜମି ଏହାଦ୍ୱାରା ପ୍ରଭାବିତ ହୋଇଛି। କୋଲାବିରା ବ୍ଲକର ୯ଟି ପଞ୍ଚାୟତ ମଧ୍ୟରୁ ୬ଟି ପଞ୍ଚାୟତର ୧୨ଟି ଗ୍ରାମର ୮ ହେକ୍ଟର ଧାନ ଜମିରେ ଚକଡ଼ା ପୋକ ଲାଗିଥିବା ଜଣାପଡ଼ିଛି।

ଏନେଇ କୋଲାବିରାସ୍ଥିତ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶୁଭଶ୍ରୀ ପାଢ଼ୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ଚକଡ଼ା ପୋକର ପ୍ରାଦୁର୍ଭାବ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ପ୍ରଭାବିତ ଜମି ଉପରେ ବିଭାଗର ନଜର ରହିଛି। ଚାଷୀମାନଙ୍କୁ ସହାୟତା ଯୋଗାଇବା ଲାଗି ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨୦୦ ହେକ୍ଟର ଜମି ପାଇଁ ଚକଡ଼ା ପୋକ ପ୍ରତିରୋଧକ ଔଷଧ ୫୦ ପ୍ରତିଶତ ରିହାତିରେ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ଆଗକୁ ପୋକର ପ୍ରାଦୁର୍ଭାବ ଯେପରି ଅଧିକ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ କୃଷି ବିଭାଗ ପକ୍ଷରୁ ନିୟମିତ ଭାବେ ନଜର ରଖାଯାଉଥିବା ଶ୍ରୀମତୀ ପାଢ଼ୀ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande