
ଚମ୍ପୁଆ, ୨୭ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନର ପାରୁଡ଼ିପଶି ଗ୍ରାମରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଗତକାଲି ରାତି ପ୍ରାୟ ୨ଟା ସମୟରେ ଭୀମପୁର ପଟୁ ଏକ ୨୫ ଟିକିଆ ହାତୀପଲ ହଠାତ୍ ଗ୍ରାମ ଭିତରକୁ ପଶିଆସିଥିଲେ। ରାତିର ଅନ୍ଧକାରରେ ହାତୀପଲଙ୍କ ଏପରି ଆକ୍ରମଣ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ହାତୀପଲ ଗ୍ରାମର ବ୍ୟାପକ କୃଷି ଜମିରେ ପଶି ଧାନ ଓ ବିଭିନ୍ନ ଫସଲକୁ ଦଳିମାଡ଼ି ନଷ୍ଟ କରିଦେଇଛନ୍ତି। କେବଳ ସେତିକି ନୁହେଁ, ହାତୀପଲ ଗ୍ରାମର ତିନି ଜଣ ବ୍ୟକ୍ତିଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ଘର ଭାଙ୍ଗିବା ସହ ଘରେ ଥିବା ସମସ୍ତ ଧାନ, ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଖାଇଯିବା ସହ ନଷ୍ଟ କରିଦେଇଛନ୍ତି। ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡ଼ିକ ହେଲେ ଗୌରାଙ୍ଗ ବେହେରା, ପ୍ରଶାନ୍ତ ବେହେରା ଓ କାର୍ତିକ ମାଝି । ରାତିରେ ହାତୀମାନଙ୍କର ଏପରି ତାଣ୍ଡବ ଦେଖି ଗ୍ରାମବାସୀମାନେ ନିଆଁ ଜାଳି ଓ ପାଟିତୁଣ୍ଡ କରି ହାତୀଙ୍କୁ ଘଉଡ଼ାଇବାକୁ ପ୍ରୟାସ କରିଥିଲେ। ପରେ ହାତୀପଲ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲେ ମଧ୍ୟ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ବାରମ୍ବାର ଏଭଳି ଜନବସତି ମଧ୍ୟକୁ ହାତୀପଲ ପଶିଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବନ ବିଭାଗ ପ୍ରତି ଅସନ୍ତୋଷ ଦେଖାଦେଇଛି। କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ତୁରନ୍ତ ଉଚିତ୍ କ୍ଷତିପୂରଣ ପ୍ରଦାନ କରିବା ସହିତ ଗ୍ରାମକୁ ହାତୀପଲଙ୍କ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / Trinath Mahanta