ଡିଜେ ସାଜିଲା କାଳ: ଜଟଣୀ ଗଣେଶ ପୂଜା ଭସାଣି ଶୋଭାଯାତ୍ରାରେ ତାଜା ଭୁଶୁଡ଼ି ଜଣେ ମୃତ, ୧୩ ଆହତ
ଖୋର୍ଦ୍ଧା, ୨୭ ସେପ୍ଟେମ୍ବର (ହି.ସ.) - ଜଟଣୀ ଗଣେଶ ଭସାଣିରେ ଘଟିଛି ଅଘଟଣ।ଭସାଣି ଶୋଭାଯାତ୍ରାରେ ଡିଜେ ଶବ୍ଦ ଏତେ ପ୍ରଚଣ୍ଡ ଓ ଭୟଙ୍କର ଥିଲା ରାସ୍ତା ପାର୍ଶ୍ୱ ତାଜା ଭୁଶୁଡ଼ି ପଡ଼ିଥିଲା । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇବା ସହ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି । ମୃତକ ରଘୁରାଜପୁରର ବିଶ୍ୱଜିତ୍ ବାରିକ
Death


ଖୋର୍ଦ୍ଧା, ୨୭ ସେପ୍ଟେମ୍ବର (ହି.ସ.) - ଜଟଣୀ ଗଣେଶ ଭସାଣିରେ ଘଟିଛି ଅଘଟଣ।ଭସାଣି ଶୋଭାଯାତ୍ରାରେ ଡିଜେ ଶବ୍ଦ ଏତେ ପ୍ରଚଣ୍ଡ ଓ ଭୟଙ୍କର ଥିଲା ରାସ୍ତା ପାର୍ଶ୍ୱ ତାଜା ଭୁଶୁଡ଼ି ପଡ଼ିଥିଲା । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇବା ସହ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି । ମୃତକ ରଘୁରାଜପୁରର ବିଶ୍ୱଜିତ୍ ବାରିକ । ସେ ଜଣେ ବାଇକ୍ ମେକାନିକ୍ ବୋଲି ଜଣାପଡ଼ିଛି । ଭସାଣି ଶୋଭାଯାତ୍ରାରେ ଡିଜେ ବଜାଇବାକୁ ପୋଲିସ ପକ୍ଷରୁ ବାରଣ କରାଯାଇଥିଲା । ଏହା ସତ୍ୱେ ଶନିବାର ଜଟଣୀ ଗଣେଶ ପୂଜା ଭସାଣି ଉତ୍ସବରେ ଡିଜେ ବାଜିଲା । ଡିଜେର ଛାତିଥରା ଶବ୍ଦରେ କମ୍ପିଉଠିଲା ସାରା ସହର । ରାସ୍ତା ପାର୍ଶ୍ୱ ଛାତ ଘର, ଦୋକାନ ଆଦି ଥରି ଉଠିଥିଲା । ଲଗାଣ ବର୍ଷା ଯୋଗୁ ବତୁରି ରହିଥିବା ଛାତର କାନିସି ଏବଂ ତାଜା ଖସି ପଡ଼ି ୧୪ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ଜଣ ଗୁରୁତର ଥିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଏମ୍ସରେ ଚିକିତ୍ସିତ ହେଉଥିବା ଚିଂଟୁ ବାରିକ୍ ବିଳମ୍ବିତ ରାତ୍ରିରେ ପ୍ରାଣ ହରାଇଛନ୍ତି । ଅନ୍ୟ ଆହତମାନେ ସ୍ଥାନୀୟ ରେଲୱେ ମେଡିକାଲ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଏହି ଖବର ପାଇ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ ଏବଂ ଡିସିପି ଶ୍ରବଣ ବିବେକ ଏମ୍ ଘଟଣାସ୍ଥଳରେ ପହଂଚିଥିଲେ । ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ । ଜଟଣୀ ଗଣେଶ ପୂଜା ଭସାଣିରେ ଡିଜେ ଉପରେ କଟକଣା କରାଯାଇଥିଲା । ଡିଜେ ସାଉଣ୍ଡ ଯୋଗୁଁ ଏଭଳି ଘଟଣା ହୋଇଥିବାରୁ ଏହାର ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ କମିଶନର ଶ୍ରୀ ଭୋଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଯେ ଶନିବାର ରାତିରେ ଜଟଣୀ ଗଣେଶ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା । ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ଗୋଟିଏ ପରେ ଗୋଟିଏ ବାହାରିଥିଲେ । ଭସାଣି ଶୋଭାଯାତ୍ରା ଦେଖିବାକୁ ସୀତାରାମ ଛକରୁ ହରିଭାଇନା ଛକ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଲୋକ ଛିଡ଼ା ହୋଇଥିଲେ । ମୁଖ୍ୟରାସ୍ତା ପାର୍ଶ୍ୱର ପୋଷ୍ଟଅଫିସ ଛକ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ୱି) ଛାତ ତଳେ ମଧ୍ୟ ଲୋକେ ଛିଡ଼ା ହୋଇ ଶୋଭାଯାତ୍ରା ଦେଖୁଥିଲେ। ଏହି ସମୟରେ ବ୍ୟାଙ୍କ୍ ଛାତର ତାଜା ଓ କାନିସି ଭୁଶୁଡ଼ି ପଡ଼ିଥିଲା । ମୁଣ୍ଡରେ ତାଜା ଖସିପଡ଼ିବା ଫଳରେ ଶକ୍ତ ଆଘାତ ଲାଗିଥିଲା । ସମସ୍ତେ ରକ୍ତାକ୍ତ ହୋଇପଡ଼ିଥିଲେ । ଘଟଣାସ୍ଥଳରେ ଆହତମାନଙ୍କ ଚିତ୍କାର ଓ କାନ୍ଦ ବୋବାଳି ଶୁଣି ନିକଟରେ ଛିଡ଼ା ହୋଇଥିବା ଲୋକେ ଆହତମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ସ୍ଥାନୀୟ ରେଲୱେ ମେଡିକାଲ ଓ ଅନ୍ୟମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ଗୁରୁତର ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସକୁ ରେଫର କରାଯାଇଥିଲା । କାନିସି ଓ ତାଜା ଭୁଷୁଡ଼ି ପଡ଼ିବା ପଛରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଗୋଟିଏ ପକ୍ଷରେ ୩ ଦିନ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ତାଜା ଓ କାନିସି ଦୁର୍ବଳ ଅବସ୍ଥାରେ ଥିବା କୁହାଯାଉଛି । ଅନ୍ୟପକ୍ଷରେ ଅନେକ ପୂଜା ମଣ୍ଡପର ଭସାଣି ଶୋଭାଯାତ୍ରାରେ ଯାଉଥିବା ଅତ୍ୟଧିକ ଡିଜେ ସାଉଣ୍ଡରେ ପ୍ରଥମେ ବ୍ୟାଙ୍କର ଛାତ ଥରିବା ସହ ପରେ କାନିସି ଓ ତାଜା ଭୁଶୁଡ଼ି ପଡ଼ିଥିବା କୁହାଯାଉଛି । ଡିଜେ ଉପରେ ପୋଲିସ କଟକଣା ଜାରି କରିଥିବା ବେଳେ ଛାତି ଥରିଲା ପରି ଡିଜେ ବାଜିବାକୁ ପୋଲିସ କିପରି ଅନୁମତି ଦେଲା ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande